ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗାଁର ବିଜୟ ବିଷୋୟୀଙ୍କ ସ୍ତ୍ରୀ ଟିକିନା ପ୍ରଧାନ(୨୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଝିଅକୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଟିକିନାଙ୍କ ମା’ ଉର୍ମିଳା ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ପୋଲିସ୍‌ ୪୬୩/୨୩ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଟିକିନାଙ୍କ ସ୍ବାମୀ ବିଜୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
କିଛିବର୍ଷ ତଳେ ଧରାକୋଟ ଥାନା ଅନ୍ତର୍ଗତ ପଟାବାବୁଲି ଗାଁର ଭାଲୁ ପ୍ରଧାନଙ୍କ ଝିଅ ଟିକିନା ସଦର ଥାନା ଅନ୍ତର୍ଗତ ଗୌତମୀ ଗାଁର ବିଜୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ବିଜୟ ବିବାହ ପରଠାରୁ ଅଧିକ ଯୌତୁକ ଆଣିବା ପାଇଁ ଟିକିନାଙ୍କ କହିବା ସହ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଗୁରୁବାର ବିଳମ୍ବିତ ରାତ୍ରରେ ଟିକିନାଙ୍କୁ ବିଜୟ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଶୁକ୍ରବାର ବିଜୟ ଫୋନ୍‌ କରି ଟିକିନାଙ୍କ ମୃତ୍ୟୁ ହୋଇଥିବା ଶାଶୁଙ୍କୁ ଜଣାଇଥିଲେ। ଟିକିନାଙ୍କ ବାପା ଭାଲୁ ସୁରଟରେ ରହି କାମ କରୁଥିବାରୁ ମା’ ଉର୍ମିଳା ତୁରନ୍ତ ମେଡିକାଲ ଆସି ଝିଅ ମୃତଦେହ ପଡ଼ିଥିବା ଦେଖିଥିଲେ। ଟିକିନା ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ବିଜୟ ତାଙ୍କୁ କହିଥିଲେ।

Share