ସ୍ତ୍ରୀ ଚରିତ୍ରକୁ ସନ୍ଦେହକରି ଶିଶୁପୁତ୍ରକୁ ହତ୍ୟାକଲେ ବାପା

ରାଉରକେଲା ଅଫିସି,୧୧।୬: ରାଉରକେଲା ଉଦିତନଗର ଶୀତଳପଡ଼ା ବସ୍ତି ଅଞ୍ଚଳରେ ଏକ କୋମଳମତି ଶିଶୁକୁ ତାଙ୍କ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଲେ ଆର୍ଯ୍ୟନ ଲାକ୍ରା (୪ବର୍ଷ)। ଏହି ଘଟଣାରେ ପୋଲିସ ମୃତକଙ୍କ ବାପାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜୁ ଲାକ୍ରା(୨୦)। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ପୋଲିସ ଉଦିତନଗର ଥାନାରେ ଏକ ମାମଲା (ନଂ.୧୯୦।୨୩) ରୁଜୁ କରିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ଜଣଙ୍କ ନିଜ ନାବାଳକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।
ପୋଲିସ ସୂଚନାନୁସାରେ, ଉଦିତନଗର ଥାନା ଶୀତଳପଡ଼ା ବସ୍ତିର ରାଜୁ ଲାକ୍ରା ପ୍ରାୟ ୫ବର୍ଷ ତଳେ ଗୁନୁ ଲାକ୍ରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ସାଢ଼େ ୪ ବର୍ଷର ପୁଅ ଆର୍ଯ୍ୟନ ଅଛି। ପ୍ରତ୍ୟେକ ଦିନ ଟଙ୍କା ପଇସାକୁ ନେଇ ଉକ୍ତ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ରାଜୁ ନିଶା ଖାଉଥିବା ବେଳେ କୌଣସି କାର୍ଯ୍ୟ କରୁ ନ ଥିଲେ। ତେଣୁ ବାଧ୍ୟ ହୋଇ ଗୁନୁ ଜଣେ ଠିକାଦାରଙ୍କ ନିକଟରେ କାମ କରି ଘର ଚଲାଉଥିଲେ। ତେବେ ଅନ୍ୟ ପୁରୁଷ ସହ ଗୁନୁ ସମ୍ପର୍କ ରଖୁଥିବା ରାଜୁ ସନ୍ଦେହ କରୁଥିଲେ ଏବଂ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତ ଗୁରୁବାର ରାଜୁ ଓ ଗୁନୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଶୁକ୍ରବାର ଗୁନୁ ପୁଅକୁ ଘରେ ଏକୁଟିଆ ଛାଡ଼ି ନିଜ ପିୟୁସୀଙ୍କ ଘରକୁ ଚାଲିଯାଇଥିଲେ। ରାଜୁ ଘରକୁ ଆସି ସ୍ତ୍ରୀଙ୍କୁ ନ ଦେଖି ପୁଅ ଉପରେ ରାଗ ସୁଝାଇଥିଲେ। ସେ ପୁଅକୁ ମାରି ଆଜବେଷ୍ଟସ କାଠବିମ୍ବରେ ଟାଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ପାଖ ପଡୋଶୀ ଜାଣିବା ପରେ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ତଦନ୍ତ କରିଥିଲା। ଶନିବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ ମାମୁଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଉଦିତନଗର ଥାନାଧିକାରୀ ରବିନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Share