Categories: ଜାତୀୟ

ସଂସଦ ଭବନ ନିକଟରେ ସନ୍ଦିଗ୍ଧ ଯୁବକ: ବ୍ୟାଗ୍‌ରୁ କୋଡ୍‌ଓ୍ବାର୍ଡରେ ଲେଖାଥିବା ଚିଠି ଜବତ

ନୂଆଦିଲ୍ଲୀ, ୨୬।୮: ସଂସଦ ଭବନ ପାଖରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ହେପାଜତରେ ରଖି ପଚରା ଉଚରା କରାଯାଉଛି। ସେ ବିଜୟ ଚୌକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବାର ଦେଖି ପୋଲିସ ତାଙ୍କୁୁ ପଚରା ଉଚରା କରିଥିଲା। ତାଙ୍କ ପାଖରେ ଥିବା ଏକ ବ୍ୟାଗ୍‌ରୁ କୋଡ୍‌ଓ୍ବାର୍ଡରେ ଲେଖାଥିବା ଚିଠି ପୋଲିସ ଜବତ କରିଛି। ପ୍ରଥମେ ପଚରାଉଚରା ସମୟରେ ଯୁବକ ଜଣକ ନିଜର ନାମ ଭିନ୍ନ ଭିନ୍ନ କହିଥିଲେ। ତାଙ୍କ ପାଖରେ ଥିବା ଡ୍ରାଇଭିଂ ଲାଇସେନ୍ସ୍‌ରେ ନାମ ଫିରଦୋସ୍‌ ଲେଖାଯାଇଛି। ତେବେ ଆଧାର କାର୍ଡରେ ନାମ ମଞ୍ଜୁର ଅହମ୍ମଦ ଅହେଗର ଲେଖାଯାଇଛି। ସେ କଶ୍ମୀରର ବଡ଼ଗାଓ୍ବଁର ବାସିନ୍ଦା ବୋଲି କହୁଛନ୍ତି। ସେ ୨୦୧୬ଠାରୁ ଦିଲ୍ଲୀରେ ରହୁଥିବା ପ୍ରକାଶ କରିଛନ୍ତି। ଦିଲ୍ଲୀର କେଉଁ ସ୍ଥାନରେ ରହୁଥିବା ପ୍ରଶ୍ନର ଉତ୍ତରରେ ସେ ନିଜାମୁଦ୍ଦିନ୍‌, ଜାମା ମସଜିଦ୍‌ ଅବା ଜାମିଆ ଅଞ୍ଚଳରେ ରହୁଥିବା ନେଇ ଭିନ୍ନ ଭିନ୍ନ କଥା କହିଛନ୍ତି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Share