ସହନୀୟ ଓ ସମାବେଶୀ ଅଭିବୃଦ୍ଧି

ସିଭେନ୍‌ ସ୍ମିଥ୍‌                      ଅନୁ ମାଡଗାଭ୍‌କର

 

 

ନଭେମ୍ବରରେ ଇଣ୍ଡୋନେସିଆର ବାଲିରେ ବି୨୦ ବିଶ୍ୱ ବାଣିଜ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଠାରେ ବିଶ୍ୱର ଅନେକ କର୍ପୋରେଟ ସିଇଓ ଓ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଥିଲେ। ଚଳିତ ବର୍ଷ କାର୍ଯ୍ୟକ୍ରମ ପରିବେଶ ସହନୀୟ, ସମାବେଶୀ ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ତିନୋଟି ପରସ୍ପର ସମ୍ପର୍କିତ ଲକ୍ଷ୍ୟ ଉପରେ କେନ୍ଦ୍ରିତ ରହିଥିଲା। ବାସ୍ତବରେ ନିଜ ନିଜ ମଧ୍ୟରେ ବିବାଦରୁ ଦୂରେଇ ରହିଲେ ଏହି ତିନୋଟି ଲକ୍ଷ୍ୟ ପାରସ୍ପରିକ ସହଯୋଗରେ ମଜଭୁତ ହୋଇପାରିବ। ଏକ ସହନୀୟ ତଥା ପରିବେଶ ଉପଯୋଗୀ ବିଶ୍ୱ ଏବକାର ଜଳବାୟୁ ପରିବର୍ତ୍ତନକୁ ରୋକିବା ସହ ଗଚ୍ଛିତ ପ୍ରାକୃତିକ ସଂସାଧନ ଓ ଜୈବବିବଧତା ସଂରକ୍ଷଣ କରିପାରିବ। ସମାବେଶୀ ମନୋଭାବ ଅର୍ଥାତ୍‌ ସବୁ ପ୍ରକାର ଲୋକ, ବିଚାର କିମ୍ବା ପ୍ରସଙ୍ଗକୁ ସମାନ ବା ଉଚିତ ମନେକରିବା ଦ୍ୱାରା ଆର୍ଥିକ ସୁଯୋଗ ଏବଂ ପ୍ରତ୍ୟେକଙ୍କ ପାଇଁ ସହଭାଗୀ ପ୍ରଗତି ସୃଷ୍ଟି ହେବ। ହେଲେ କେତେକେ ବିଶ୍ୱାସ କରୁଛନ୍ତି ଆର୍ଥିକ ଅଭିବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଲଢ଼େଇ ସମ୍ପୂର୍ଣ୍ଣ ଭିନ୍ନ ବା ବିପରୀତ ବିଷୟ । ଏହା ଠିକ୍‌ ନୁହେଁ। ଏକ ପରିବେଶ ଉପଯୋଗୀ , ସମାବେଶୀ ବିଶ୍ୱ ଗଠନ କରିବାକୁ ଠିକ୍‌ ଭାବେ ଉପଯୋଗ ହେଲା ଭଳି ଆର୍ଥିକ ସଂସାଧନ ସୃଷ୍ଟି କରିବା ଦରକାର।
ଆଗକୁ ଆହ୍ବାନଗୁଡ଼ିକୁ ମୁକାବିଲା କରିବା ଲାଗି କେଉଁ ସୁଯୋଗ ରହିଛି ତାହା ଆକଳନ କରିବା ପାଇଁ ଦୁଇଟି ଅତି ଦରକାରୀ ତଥା ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କକୁ ନିରୀକ୍ଷଣ କରିଥିଲୁ। ପ୍ରଥମରେ ପରିବେଶ ସହନୀୟ ପଦକ୍ଷେପରେ ଦୃଶ୍ୟମାନ ପ୍ରଭେଦ ବା ଅନ୍ତର (ସଷ୍ଟେନେବିଲିଟି ଗ୍ୟାପ୍‌) ଉପରେ ଆମେ ଅନୁଧ୍ୟାନ କରିଥିଲୁ। ପ୍ରତ୍ୟେକ ଦେଶ ୨୦୫୦ ସୁଦ୍ଧା ଶୂନ ନିର୍ଗମନ ସ୍ତର ହାସଲ କରିବା ଲାଗି ଟେକ୍‌ନୋଲୋଜିରେ ଅତିରିକ୍ତ ନିବେଶ କରିବା ଦରକାର। ହେଲେ ଏଥିରେ ଭିନ୍ନତା ଦେଖାଯାଇଛି। ୨୦୩୦ ସୁଦ୍ଧା ବିଶ୍ୱ ତାପନକୁ ବିପଜ୍ଜନକ ସ୍ତରକୁ ନ ବଢାଇ କାର୍ବନ ନିର୍ଗମନ ହ୍ରାସ କରିବା ( କାର୍ବନ ବଜେଟ) ଧାରାକୁ ଦେଖିଲେ ଜଣାଯାଏ ଯେ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଲାଗି ଆଉ କମ୍‌ ସମୟ ରହିଛି। ଏଣୁ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରି ଶୂନ ସ୍ତରକୁ ଆଣିବାକୁ ହେଲେ ଚଳିତ ଦଶନ୍ଧି ସୁଦ୍ଧା ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ଅନ୍ୟ ଏକ ସୂଚକାଙ୍କ ହେଉଛି ସଶକ୍ତୀକରଣର ଅନ୍ତର କିମ୍ବା ଅସମାନତା( ଏମ୍ପାଓ୍ବାରମେଣ୍ଟ ଗ୍ୟାପ୍‌)। ଖାଦ୍ୟ, ଶକ୍ତି ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ସମାନ ବ୍ୟୟ ସ୍ତର ଦରକାର। କିନ୍ତୁ ଏଥିରେ ମଧ୍ୟ ଅନ୍ତର ରହିଛି। ଆକଳନ ଅନୁଯାୟୀ, ଗରିବ ଦେଶଗୁଡ଼ିକରେ ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ଦୈନିକ ବ୍ୟୟ ପରିମାଣ ଦିନକୁ ୧୧ ଡଲାର ଥିବାବେଳେ ଧନୀ ଦେଶଗୁଡ଼ିକରେ ଏହା ୫୫ ଡଲାର । ଯଦି ବିଶ୍ୱରେ ପ୍ରତ୍ୟେକ ପରିବାର ୨୦୩୦ ସୁଦ୍ଧା ଓ ପ୍ରତ୍ୟେକ ବୟସ୍କ ୨୦୫୦ ସୁଦ୍ଧା ବ୍ୟୟର ଏହି ସ୍ତରରେ ପହଞ୍ଚିବେ ତେବେ ଦାରିଦ୍ର୍ୟରୁ ମୁକୁଳିବା ସହ ଆର୍ଥିକ ସୁରକ୍ଷା ଆସିବ। ଏ କ୍ଷେତ୍ରରେ ବି ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ତେବେ ଉଭୟ ଲକ୍ଷ୍ୟରେ ପହଞ୍ଚିବା ଲାଗି ଆମକୁ ଆର୍ଥିକ ଅଭିବୃଦ୍ଧି ହିଁ ସାହାଯ୍ୟ କରିବ। ଫଳରେ ବିଶ୍ୱରେ ଗରିବ ପରିବାରଗୁଡ଼ିକୁ ମଧ୍ୟବିତ୍ତ ସ୍ତରକୁ ଆଣିବା ଲାଗି ସବୁ ସରକାର ଅଭିବୃଦ୍ଧିର କିଛି ଆୟ ବ୍ୟୟ କରିବା ସହ ସବୁଜ ଭିତ୍ତିଭୂମି ନିର୍ମାଣ କରିବାରେ ଏଥିରୁ କିଛି ଦେଇପାରିବେ।
ବି୨୦ ସମ୍ମିଳନୀରେ ଆମେ ଉପସ୍ଥାପନ କରିଥିବା ଗବେଷଣାଭିତ୍ତିକ ରିପୋର୍ଟ ଦର୍ଶାଏ ଯେ, ପରିବେଶ ସହନୀୟ ଏବଂ ସଶକ୍ତୀକରଣ କ୍ଷେତ୍ରରେ ଥିବା ଅସମାନତାକୁ କେବଳ ଅଭିବୃଦ୍ଧି ସମ୍ପୂର୍ଣ୍ଣ ଦୂର କରିପାରିବ ନାହିଁ। ଜାଣିବାକୁ ପାଇଲୁ ଯେ, ବିଭିନ୍ନ ଅଞ୍ଚଳ ଓ ଦେଶ ଯଦି ସେମାନଙ୍କ ଏବକାର ବ୍ୟୟ ସ୍ତର ବଜାୟ ରଖନ୍ତି, ତେବେ ୨୦୩୦ ସୁଦ୍ଧା ସେମାନଙ୍କ ମଧ୍ୟରୁ କେତେକ ସଶକ୍ତୀକରଣ କ୍ଷେତ୍ରରେ ଥିବା ଅଧାରୁ ଅଧିକ ଅସମାନତା ଦୂର କରିପାରିବେ। ହେଲେ କେହି ବି ସହନୀୟତା କ୍ଷେତ୍ରରେ ଏତିକି କରିବାକୁ ସକ୍ଷମ ହେବେ ନାହିଁ। ଉଦାହରଣ ସ୍ବରୂପ, ଆମେରିକାରେ ସଶକ୍ତୀକରଣ ଅନ୍ତର ୫ ଟ୍ରିଲିୟନ ଡଲାର ଓ ସହନୀୟ ଅନ୍ତର ୫.୬ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଚଳିତ ଦଶନ୍ଧିରେ ବାକି ଥିବା ବର୍ଷଗୁଡ଼ିକରେ ଯଦି ଆମେରିକାର ଅର୍ଥ ବ୍ୟବସ୍ଥା ବାର୍ଷିକ ୨.୧% ହାରରେ ଅଭିବୃଦ୍ଧି ହାସଲ କରେ, ତେବେ ୨୦୩୦ ସୁଦ୍ଧା ଏହା ସଶକ୍ତୀକରଣ କ୍ଷେତ୍ରରେ ଥିବା ଅନ୍ତରକୁ ୩୬% ଦୂର କରିବା ସହ ପରିବେଶ ସହନୀୟତାରେ ଦୃଶ୍ୟମାନ ଅନ୍ତରକୁ ୭% କମ୍‌ କରିପାରିବ।
ଆକଳନ କରାଯାଇଛି ଯେ,ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକୀୟ ଦେଶଗୁଡ଼ିକରେ ସଶକ୍ତୀକରଣ ଅନ୍ତର ୧୦.୩ ଟ୍ରିଲିୟନ ଡଲାର ଓ ପରିବେଶ ସହନୀୟ ଅନ୍ତର ମୋଟରେ ୬୦୦ ବିଲିୟନ ଡଲାର; ଯାହା ବହୁ ଅଧିକ। ତେବେ ଦର୍ଶାଯାଇଥିବା ଏବକାର ଅଭିବୃଦ୍ଧି ସେଠାରେ ସଶକ୍ତୀକରଣ ଅନ୍ତରକୁ ୬% ଓ ପରିବେଶ ସହନୀୟ ଅନ୍ତରକୁ ୨୫% କମାଇପାରିବ ବୋଲି ଆଶା। ପ୍ରକୃତରେ ଏହିସବୁ ଅନ୍ତର ହ୍ରାସ କରିବା ଲାଗି ଅତିରିକ୍ତ ପଦକ୍ଷେପ ନେଇ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ବଢ଼ାଇବାକୁ ହେବ। କିଛି ଦେଶ ଏଭଳି ପଦକ୍ଷେପ ନେବା ଆରମ୍ଭ କରୁଛନ୍ତି। ସେମାନଙ୍କ ବ୍ୟବସାୟଭିତ୍ତିକ ନୂତନତ୍ୱ ଏବକାର ଅଭିବୃଦ୍ଧି ମଡେଲକୁ ନିଶ୍ଚିତ ଅଧିକ ସମାବେଶୀ ଓ ପରିବେଶ ସହନୀୟ କରିପାରିବ । ଏହାସହ ଜି୨୦ରେ ଥିବା ବୃହତ୍‌ କମ୍ପାନୀଗୁଡ଼ିକ ଗବେଷଣା ଓ ବିକାଶ କ୍ଷେତ୍ରରେ ବର୍ଷକୁ ୨ ଟ୍ରିଲିୟନ ଡଲାରରୁ ଅଧିକ ବ୍ୟୟ କରୁଛନ୍ତି; ଯାହା ନୂଆ ଟେକ୍‌ନୋଲୋଜି ବିକାଶ କରିବାରେ ଏବଂ ସହ ସବୁଜ ଗୃହବାଷ୍ପ ନିର୍ଗମନ କମ୍‌ କରି ପରିବେଶ ଉପଯୋଗୀ ସ୍ଥିତି ଫେରାଇବାରେ ହେଉଥିବା ଖର୍ଚ୍ଚ କମ୍‌ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଯେତେବେଳେ ଏହିସବୁ ପଦକ୍ଷେପ କାର୍ଯ୍ୟକାରୀ କରାଯିବ ସେତେବେଳେ ସେଗୁଡ଼ିକ ପରିବେଶ ସହନୀୟତା ପାଇଁ ଆର୍ଥିକ ଅଭିବୃଦ୍ଧିକୁ ନୂଆ ଦିଗ ଦେଖାଇବ। ଏହା ମଧ୍ୟ ସବୁଜ ଉପତ୍ାଦ ପ୍ରତି ଉପଭୋକ୍ତାଙ୍କ ପସନ୍ଦ ବଢ଼ାଇବ, ଯାହା ଦୁଇ ତିନି ବର୍ଷରେ ବୈଦ୍ୟୁତିକ ଯାନ ଉପତ୍ାଦକମାନେ କରିପାରିଛନ୍ତି। ବ୍ୟବସାୟଭିତ୍ତିକ ନୂତନତ୍ୱ ବି କର୍ମଚାରୀମାନଙ୍କ ଆୟ ବୃଦ୍ଧି କରି ସଶକ୍ତୀକରଣ ଅନ୍ତର ଦୂର କରିପାରିବ। ସରକାର ଓ ସମାଜସେବାରେ କାର୍ଯ୍ୟରତ ସଂସ୍ଥା ସବୁ ମଧ୍ୟ ପରିବେଶ ସହନୀୟତା ଓ ସମାବେଶୀ ପଦକ୍ଷେପ ପାଇଁ ପ୍ରୋସତ୍ାହନ ଏବଂ ସାର୍ବଜନୀନ ସଂସାଧନଗୁଡ଼ିକୁ ସଞ୍ଚାଳନ କରିବାକୁ ସକ୍ଷମ ହେବେ। ଉଦାହରଣ ସ୍ବରୂପ,ବିଭିନ୍ନ ଦେଶର ସରକାର ସହନୀୟ ପ୍ରୋଜେକ୍ଟଗୁଡ଼ିକ ପାଇଁ ଘରୋଇ ନିବେଶକୁ ଆମନ୍ତ୍ରଣ କରି ଅଧିକ ପୁଞ୍ଜି ଖଟାଇପାରିବେ । କମ୍‌ ନିର୍ଗମନ କରୁଥିବା ପ୍ରୋଜେକ୍ଟଗୁଡ଼ିକ ପାଇଁ କାର୍ବନ ଟ୍ୟାକ୍ସ ଏବଂ ସବ୍‌ସିଡି ବ୍ୟବସ୍ଥା ମଧ୍ୟ ନିବେଶକଙ୍କୁ ପରିବେଶ ସହନୀୟ ଅନ୍ତର ହ୍ରାସ କରିବାକୁ ପ୍ରେରିତ କରିବ। ଅନ୍ୟପକ୍ଷରେ ସରକାରଗୁଡ଼ିକ ଅଧିକ ପରିବାରକୁ ସଶକ୍ତୀକରଣ ସୀମା ଉପରକୁ ଉଠାଇବା ଲାଗି ଡାଇରେକ୍ଟ ଟ୍ରାନ୍ସଫର ପେମେଣ୍ଟ ଉପଯୋଗ କରିପାରିବେ।
ଦୁର୍ଭାଗ୍ୟବଶତଃ,ବିଶ୍ୱରେ ଏବେ ସଶକ୍ତୀକରଣ ଓ ପରିବେଶ ସହନୀୟତାରେ ଦୃଶ୍ୟମାନ ଅନ୍ତର ହଠାତ୍‌ ଦୂର କରାଯାଇ ପାରିବନାହିଁ। ସେଥିପାଇଁ ସମସ୍ତଙ୍କୁ ସମ୍ମିଳିତ ଭାବେ ପ୍ରେରିତ କରାଯିବା ଉଚିତ। କମ୍ପାନୀଗୁଡ଼ିକ ସବୁଆହ୍ବାନକୁ ଗ୍ରହଣ କରି ନୂତନତ୍ୱ ଆଣିବା ଉଚିତ। ସେହିପରି ସରକାର ଓ ସମାଜ ସେବାରେ ବ୍ରତୀ ସଂସ୍ଥାଗୁଡ଼ିକ ମାର୍କେଟର ଅଭାବ ରହିଥିବା ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ବ୍ୟବସାୟ,ସାର୍ବଜନୀନ ଓ ସାମାଜିକ ସେକ୍ଟର ସବୁ ଏକାଠି କାମ କରନ୍ତି, ତେବେ ବିଶ୍ୱ ଜରୁରୀ ଭିତ୍ତିରେ ଆବଶ୍ୟକ କରୁଥିବା ଏକ ପରିବେଶ ସହନୀୟ ଏବଂ ସମାବେଶୀ ଅଭିବୃଦ୍ଧି ସୃଷ୍ଟି କରିପାରିବା।