ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ, ତାଙ୍କ ସ୍ବାମୀ

କଣିହାଁ, ୨୪ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ବାମୀ ଶିଶିର ସାମଲ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କାର ବିଲ୍‌ ପାସ୍‌ କରାଇଦେବାକୁ ସରପଞ୍ଚ ଓ ତାଙ୍କ ସ୍ବାମୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଓ ଅନୁଗୋଳ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ସୁସୁବା ପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମର ପଦ୍ମଚରଣ ପ୍ରଧାନ କୃଷିଭିତ୍ତିକ ଯୋଜନାରେ ଏକ ପୋଖରୀ ଖୋଳିଥିଲେ। ସେ ପ୍ରଥମେ ୬୦ ହଜାର ଟଙ୍କା ପାଇସାରିଥିଲେ। ଅବଶିଷ୍ଟ ୧ ଲକ୍ଷ ୧୮ ହଜାର ଟଙ୍କାର ବିଲ୍‌ ପାଇବାକୁ ଥିବାବେଳେ ସରପଞ୍ଚ ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। ତେବେ ୨୦ ହଜାର ଟଙ୍କା ଦେବାକୁ ହିତାଧିକାରୀ ପ୍ରଧାନ ରାଜି ହେବା ସହ ଏ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସରପଞ୍ଚ ଓ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ପ୍ରଧାନଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ଧରିବା ସହ ତାଙ୍କ ଠାରୁ ଟଙ୍କା ଜବତ କରିଥିଲେ। ଏଥିସହ ପଞ୍ଚାୟତ ଅଫିସ ଓ ସରପଞ୍ଚଙ୍କ ବାସଭବନରେ ଚଢ଼ାଉ କରିଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ. ୧୮/୨୪ ୟୁ /ଏସ ୦୭/୧୨ ସଂଶୋଧନ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ ସରପଞ୍ଚ ମାମାଲି ଓ ତାଙ୍କ ସ୍ବାମୀ ଶିଶିରଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Share