କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ। ସୋମବାର ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଛନ୍ତି। ଫେବୃୟାରୀ ୧ରେ ସେନା ସ୍ୟୁ ଚୀଙ୍କୁ କ୍ଷମତାଚ୍ୟୁତ କରି ତାଙ୍କୁ ବନ୍ଦୀ କରିଥିଲା। ସ୍ୟୁ ଚୀ ରାଜଧାନୀ ନେପିତାଉର ନଗର ପରିଷଦ ବିଲ୍ଡିଂରେ ଏକ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିବା ତାଙ୍କର ଜଣେ ଓକିଲ ସୂଚନା ଦେଇଛନ୍ତି। କୋର୍ଟକୁ ଯିବା ପୂର୍ବରୁ ସ୍ୟୁ ଚୀ ତାଙ୍କ ଓକିଲଙ୍କୁ ଭେଟିଥିବା ଜଣାପଡ଼ିଛି। ସ୍ୟୁ ଚୀଙ୍କ ବିରୋଧରେ ‘ଦେଶଦ୍ରୋହକୁ ଉସୁକାଇବା’ ସହ ଅନେକ ସଙ୍ଗିନ ଅଭିଯୋଗ ଆଣିଛି ସେନା। ଜୁନ୍‌ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ଫେବୃୟାରୀ ୧ ପରଠାରୁ ସ୍ୟୁ ଚୀଙ୍କୁ ସେନା ଗୃହବନ୍ଦୀ ରଖିଥିଲା। ଭିଡିଓ ଲିଙ୍କ୍‌ ମାଧ୍ୟମରେ ସେ କୋର୍ଟରେ ହାଜର ହେଉଥିଲେ। ଏଥିଯୋଗୁ ସେ ତାଙ୍କ ଓକିଲଙ୍କ ସହ ସାକ୍ଷାତ କରିପାରୁ ନ ଥିଲେ। ବ୍ୟକ୍ତିଗତ ଭାବେ ହାଜର ପାଇଁ ସ୍ୟୁ ଚୀଙ୍କ ଘର ନିକଟରେ ଏକ ସ୍ବତନ୍ତ୍ର କୋର୍ଟ କରାଯାଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।
ମ୍ୟାନମାର ସେନା ହାତକୁ ଶାସନ ଯିବା ପରେ ଏହା ବିରୋଧରେ ଦେଶବ୍ୟାପୀ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ସେନା କାର୍ଯ୍ୟାନୁଷ୍ଠାନରେ ୮ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱଙ୍କୁ ଗିରଫ କରାଯାଇଛି।

Share