ସ୍ୟୁ ଚୀ ପୁଣି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡାଦେଶ ବୃଦ୍ଧି ପାଇ ହେଲା ୨୬ ବର୍ଷ…

ନାପିଦ୍ୱ,୧୨।୧୦ : ମ୍ୟାନମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ପୁଣି ଆଉ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ ତାଙ୍କ ଜେଲ ଦଣ୍ଡାଦେଶ ୨୬ ବର୍ଷକୁ ବୃଦ୍ଧି କରାଯାଇଛି।
ମ୍ୟାନମାର ଆଇନ ଅଧିକାରୀମାନେ ବୁଧବାର ଏହି ଖବର ଦେଇଛନ୍ତି।

ନିର୍ବାଚିତ ସରକାରକୁ ଅକ୍ତିଆର କରି କ୍ଷମତା ଦଖଲ କରିବା ପରେ ୧ ଫେବୃଆରୀ ୨୦୨୧ ରେ ମ୍ୟାନମାରର ସୈନ୍ୟବାହିନୀଙ୍କ ଦ୍ୱାରା ୭୭ ବର୍ଷ ବୟସ୍କା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ଦେଶରେ ସାମରିକ ଶାସନ ଜାରି ରହିଛି। ବୁଧବାର ମ୍ୟାନମାରର କୋର୍ଟ ସ୍ୟୁ ଚୀଙ୍କୁ ଆଉ ଦୁଇଟି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ତାଙ୍କର ଜେଲ ଦଣ୍ଡାଦେଶ ୨୩ ବର୍ଷ ଥିଲା।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୟୁ ଚୀ ଅସ୍ବୀକାର କରିଛନ୍ତି। ଅନେକ ବର୍ଷ ପୂର୍ବେ ଡ୍ରଗ କାରବାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଙ୍ଗ ୱାକଙ୍କ ଠାରୁ ୫୫୦,୦୦୦ ଆମେରିକୀୟ ଡଲାର ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଅଣାଯାଇଥିଲା। ବେଆଇନ ଭାବେ ଆମଦାନୀ କରି ୱାକି ଟକି ରଖିବା, କରୋନା ପ୍ରତିବନ୍ଧକର ଉଲ୍ଲଂଘନ, ଗୋପନୀୟତା ଆଇନର ଉଲ୍ଲଂଘନ, ଦେଶଦ୍ରୋହ, ନିର୍ବାଚନରେ ଠକେଇ ଏବଂ ଦୁର୍ନୀତି ମାମଲାରେ ସ୍ୟୁ ଚୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏସବୁ ମାମଲାରେ ତାଙ୍କୁ ପୂର୍ବରୁ ୨୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ନିରପେକ୍ଷ ବିଶ୍ଳେଷକମାନେ କହିଛନ୍ତି ଯେ ସ୍ୟୁ ଚୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବଦନାମ ଏବଂ ସାମରିକ ଶାସନକୁ ଆଇନଗତ କରିବାକୁ ଉଦ୍ଦିଷ୍ଟ। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସ୍ୟୁ ଚୀଙ୍କୁ ୨୦୨୩ରେ ହେବାକୁ ଥିବା ନିର୍ବାଚନ ଠାରୁ ଦୂରେଇ ରଖିବା। ଦେଶରେ ୨୦୨୩ରେ ନିର୍ବାଚନ କରିବାକୁ ସାମରିକ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Share