ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ,୬।୧୨: ମ୍ୟାନ୍‌ମାରର ଏକ କୋର୍ଟ ଅଙ୍ଗ୍‌ ସାନ୍‌ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ କରିଛି। ଦେଶରେ ଘଟିଥିବା ସାମରିକ ବିଦ୍ରୋହ ସମୟରେ ସେ ପ୍ରତିରୋଧାତ୍ମକ କାର୍ଯ୍ୟ କରିଥିବା ଏବଂ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଏଭଳି ଦଣ୍ଡାଦେଶ କରାଯାଇଥିବା ଜୁଣ୍ଟାର ପ୍ରବକ୍ତା ଜଓ୍ବ ମିନ୍‌ ଟୁନ୍‌ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଦେଶରେ ପ୍ରଚଳିତ ଦଣ୍ଡ ସଂହିତା ଧାରା ୫୦୫-ଖ ଅନ୍ତର୍ଗତ ୨ ବର୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଇନ ଅନୁସାରେ ୨ ବର୍ଷର ସଶ୍ରମ କାରାଦଣ୍ଡରେ ସୁ କିଙ୍କୁ ଦେଶର ସାମରିକ ଶାସକ ଦଣ୍ଡିତ କରିଛନ୍ତି।

ସମାନ ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ୱିନ ମାଇଣ୍ଟଙ୍କୁ ମଧ୍ୟ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ତେବେ ସେମାନଙ୍କୁ ଏପର୍ଯ୍ୟନ୍ତ ଜେଲକୁ ନିଆଯାଇ ନାହିଁ ବୋଲି ମିନ୍‌ ଟୁନ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜଧାନୀ ନାପିଦ୍ୱରେ ସେମାନେ ବର୍ତ୍ତମାନ ରହୁଥିବା ସ୍ଥାନରୁ ଅନ୍ୟ ଅଭିଯୋଗ ମଧ୍ୟ ସମ୍ମୁଖୀନ ହେବେ। ମ୍ୟାନ୍‌ମାରରେ ଗଣତାନ୍ତ୍ରିକ ସରକାରଙ୍କ ହଟାଇବା ପରେ ସାମରିକ ଶାସକ ୨୦୨୧ ଫେବୃଆରୀ ୧ଠାରୁ ୭୬ ବର୍ଷୀୟ ସୁ କିଙ୍କୁ ଅଟକ ରଖାଯାଇଛି । ତାଙ୍କ ବିରୋଧରେ ସରକାରୀ ଗୁପ୍ତଚର ଆକ୍ଟ ଉଲ୍ଲଂଘନ, ଭ୍ରଷ୍ଟାଚାର ଏବଂ ନିର୍ବାଚନୀ ଜାଲିଆତି ଭଳି ବହୁ ଅଭିଯୋଗ ଅଣାଯାଇଛି। ଯଦି ସମସ୍ତ ମାମଲାରେ ସୁକି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ନୋବେଲ ବିଜେତାଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ।

ସାମରିକ ଶାସକ ଦେଶର ରାଜଧାନୀରେ ଥିବା ସ୍ବତନ୍ତ୍ର ଅଦାଲତରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ କରିଛନ୍ତି। ନିକଟରେ ସୁ କିଙ୍କର ଆଇନଜୀବୀଙ୍କୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ବାରଣ କରାଯାଇଥିଲା।

ସ୍ଥାନୀୟ ମନିଟରିଂ ଗ୍ରୁପ ଅନୁଯାୟୀ, ସାମରିକ ଶାସକଙ୍କ କ୍ଷମତା ଦଖଲ ପରେ ବିଦ୍ରୋହ କରିଥିବା ଲୋକଙ୍କୁ ଉପରେ କରାଯାଇଥିବା ନିର୍ଯାତନାରେ ୧୩,୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦,୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

Share