Categories: ଜାତୀୟ

ଭାଜପା ଟାର୍ଗେଟରେ ମୁକୁଲ

କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିବେଦନ କରିଛି ଭାଜପା। କ୍ରିଷ୍ଣନଗର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳିରୁ ମୁକୁଲଙ୍କ ବିଧାୟକ ପଦ ରଦ୍ଦ କରାଯାଉ। ଯଥା ଶୀଘ୍ର ଏ ନେଇ ପଦକ୍ଷେପ ନେବାକୁ ମୁଁ ଅନୁରୋଧ କରୁଛି ବୋଲି ଶୁଭେନ୍ଦୁ ନିବେଦନ କରିଛନ୍ତି।

ଭାଜପା ଟିକେଟରେ କ୍ରିଷ୍ଣନଗର ଉତ୍ତର ନିର୍ବାଚନ ମଣ୍ଡଳିରୁ ଜିତିଲା ପରେ ମୁକୁଲ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ଏଣୁ ଆଣ୍ଟି-ଡିଫେକଶନ ଆଇନ ଆଧାରରେ ବିଧାୟକ ପଦରୁ ମୁକୁଲ ଇସ୍ତଫା ଦେବା ଉଚିତ ବୋଲି ଅଧିକାରୀ କହିଛନ୍ତି। ”ଭଙ୍ଗା ଭଙ୍ଗି କରି ଯୋଡ଼ିବା ଟିଏମ୍‌ସି ରାଜନୀତିର ଅଂଶ। ସେମାନେ ଏଭଳି ରାଜନୀତି ଗତ ୧୦ ବର୍ଷ ହେଲା କରୁଛନ୍ତି। କେହି ଏହାକୁ ବିରୋଧ କରୁ ନ ଥିଲେ। କିନ୍ତୁ ଏବେ ଆମେ ଏହାକୁ ବିରୋଧ କରୁଛୁ ଓ ଆଣ୍ଟି-ଡିଫେକଶନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗତ ୧୫ ତାରିଖରେ ଗଣମାଧ୍ୟମ ଆଗରେ ନନ୍ଦିଗ୍ରାମ ଆସନରୁ ବିଧାୟକ ଥିବା ଶୁଭେନ୍ଦୁ କହିଥିଲେ।

ଏଥି ପୂର୍ବରୁ ଶୁଭେନ୍ଦୁଙ୍କ ନେତୃତ୍ୱରେ ଭାଜପାର ୫୦ ବିଧାୟକ ମୁକୁଲଙ୍କ ଇସ୍ତଫା ଦାବିରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ସ୍ମାରକପତ୍ର ଦେଇଥିଲେ।

Share