Categories: ଖେଳ

ସ୍ବିଟେକ୍‌, ପେଗୁଲା, ଜୋକୋଭିଚ୍‌ଙ୍କ ବିଜୟ

ଓ୍ବିମ୍ବେଲଡନ୍‌, ୪ା୭: ଟେନିସ୍‌ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍‌, ଭିକ୍ଟୋରିଆ ଆଜାରେଙ୍କା ଓ ଜେସିକା ପେଗୁଲା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପୁରୁଷ ଖେଳାଳିଙ୍କ ମଧ୍ୟରେ କ୍ରମାଗତ ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଥିବା ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ଙ୍କ ସମେତ ଆଣ୍ଡି ରୁବଲେଭ, ଲରେଞ୍ଜୋ ମୁସେଟ୍ଟି, ଆସ୍ଲାନ୍‌ କାରାଟସେଭ ଓ ଜୋର୍ଡାନ୍‌ ଥମ୍ପସନ୍‌ ପ୍ରମୁଖ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି।
ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ସ୍ବିଟେକ୍‌ ଚାଇନାର ଝୁ ଲିନ୍‌ଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଛନ୍ତି। ପୋଲାଣ୍ଡର ସ୍ବିଟେକ୍‌ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ସହଜରେ ମ୍ୟାଚ୍‌କୁ ଜିତି ନେଇଥିଲେ। ୧୯ ନମ୍ବର ସିଡ୍‌ ଭିକ୍ଟୋରିଆ ଆଜାରେଙ୍କା ୪-୬, ୭-୫ ଓ ୪-୬ ସେଟରେ ଚାଇନାର ୟୁଏ ୟୁଆନଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟରେ ଆଜାରେଙ୍କା ବିଜୟୀ ହୋଇଥିବା ବେଳେ ୟୁଆନ୍‌ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍‌ ଜିତିଥିଲେ। ପ୍ରତ୍ୟାବର୍ତ୍ତନ ସହିତ ଆଜାରେଙ୍କା ତୃତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ଆମେରିକାର ଜେସିକା ପେଗୁଲା ନିଜ ଦେଶର ଖେଳାଳି ଲରେନ୍‌ ଡେଭିସ୍‌ଙ୍କୁ ୬-୨, ୭-୬(୮-୧୦) ଓ ୬-୩ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡରେ ପେଗୁଲା ସହଜ ବିଜୟ ହାସଲ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଲରେନ୍‌ ଟାଇବ୍ରେକରରେ ବିଜୟୀ ହେବା ପରେ ତୃତୀୟ ରାଉଣ୍ଡକୁ ଜିତି ନେଇଥିଲେ ପେଗୁଲା। ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଫ୍ରାନ୍ସର କାରୋଲିନ୍‌ ଗାର୍ସିଆ୬-୪ ଓ ୬-୩ ସେଟରେ ଆମେରିକାର କେଟି ଭଲିନେଟ୍ସଙ୍କୁ ପରାସ୍ତ କରିଛନ୍ତି। ଓ୍ବାଇଲ୍ଡ କାର୍ଡ ଜରିଆରେ ୨୪ତମ ଥର ଓ୍ବିମ୍ବେଲଡନ୍‌ ଖେଳୁଥିବା ଭେନସ୍‌ ଓ୍ବିଲିୟମ୍ସ ପ୍ରଥମ ରାଉଣ୍ଡରେ ୬-୪, ୬-୩ ସେଟ୍‌ରେ ଏଲିନା ସ୍ବିତୋଲିନାଙ୍କ ନିକଟରୁ ପରାଜିତ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୭୬ ନମ୍ବର ସ୍ଥାନରେ ରହିଥିବା ୟୁକ୍ରେନର ଏହି ଖେଳାଳି ଜଣଙ୍କ ଉଭୟ ସେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ।
ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱ ମାନ୍ୟତାରେ ୨ ନମ୍ବର ସ୍ଥାନରେ ଥିବା ନୋଭାକ୍‌ ଜୋକୋଭିଚ୍‌ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୬-୩, ୬-୩ ଓ ୭-୬(୭-୪) ସେଟ୍‌ରେ ଆର୍ଜେଣ୍ଟିନାର ପେଡ୍ରୋ କାଚିନଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି। ୭ ନମ୍ବର ସିଡ୍‌ ଆଣ୍ଡି ରୁବଲେଭ୍‌ ମଧ୍ୟ ସିଧାସଳଖ ବିଜୟ ସହିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସ୍ଥାନୀୟ ଖେଳାଳି ମ୍ୟାକ୍ସ ପର୍ସେଲଙ୍କୁ ୬-୩, ୭-୫ ଓ ୬-୪ ସେଟ୍‌ରେ ସେ ପରାସ୍ତ କରିଥିଲେ। ୫୦ ନମ୍ବର ସିଡେଡ୍‌ ଆସ୍ଲାନ କାରାଟସେଭ୍‌ ଫ୍ରାନ୍ସର ଲୁକା ଭାନ୍‌ ଆଶ୍ଚେଙ୍କୁ ୬-୭(୪-୭), ୬-୪, ୬-୨ ଓ ୬-୪ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଣ ସିଡେଡ ବ୍ରିଟିଶ ଖେଳାଳି ଜୋର୍ଡାନ୍‌ ଥମ୍ପସନ୍‌ ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆମେରିକାର ବ୍ରାଣ୍ଡନ ନାକାଶିମାଙ୍କୁ ହରାଇଥିଲେ। ୬-୨, ୬-୨, ୪-୬, ୬-୭(୪-୭) ଓ ୩-୬ରେ ସେ ମ୍ୟାଚକୁ ଜିତି ନେଇଥିଲେ। ପ୍ରଥମ ଦୁଇ ସେଟକୁ ନାକାଶିମା ଜିତି ନେଇଥିଲେ। ତେବେ ଘରୋଇ ପରିବେଶର ଫାଇଦା ଉଠାଇ ଥମ୍ପସନ୍‌ ପରବର୍ତ୍ତୀ ୩ ସେଟ ଜିତି ନେଇଥିଲେ। ୧୪ ନମ୍ବର ସିଡ୍‌ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ପେରୁର ଜୁଆନ୍‌ ପାବଲୋ ଭାରିଲାସଙ୍କୁ ୬-୩, ୬-୧ ଓ ୭-୫ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Share