ସ୍ବଚ୍ଛ ଭାରତ ପାଇଖାନା ପାଲଟିଛି ବାସଗୃହ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ପାଇଁ ହୋଇଥିବା ତଦନ୍ତରେ ପାତର ଅନ୍ତର କରାଯାଇଛି । ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍‌ ପଡିଛନ୍ତି ା ଏପରି ଅଭିଯୋଗ ନୂଆଗାଁ ବ୍ଲକର ପ୍ରତି ପଞ୍ଚାୟତରୁ ଆସୁଛି । ମାଳିସାହି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ବାସଗୃହ ନ ଥିବା ଯୋଗୁ ସେ ସ୍ବଚ୍ଛ ଭାରତ ଗ୍ରାମୀଣ ପାଇଖାନାରେ ରହୁଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନାରୁ ବାଦ୍‌ ଦିଆ ଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଦେଉଳି ଗ୍ରାମର ମଧୁ ନାୟକ ୩ ଭାଇ । ବାପାଙ୍କ ଦେହାନ୍ତ ପରେ ୩ ଭାଇ ବାପ ସମ୍ପତ୍ତିକୁ ଭାଗବଣ୍ଟା କରିବା ପରେ ୩ ପରିବାର ନିଜ ଜାଗାରେ ଅଲଗା ରହୁଛନ୍ତି ା ଦୁଇ ଭାଇ ନିଜ ରୋଜଗାରରେ ପକ୍କା ଘର କରିଛନ୍ତି ା ମଝିଆ ଭାଇ ମଧୁ ନାୟକ କୃଷକ ଭାବେ ନିଜ ସ୍ବଳ୍ପ ରୋଜଗାରରେ ୩ ଝିଅ ଓ ଗୋଟିଏ ପୁଅକୁ ପାଠ ପଢାଇବା ସହ ଝିଅମାନଙ୍କ ବାହାଘର କରାଇବାରେ ଖର୍ଚ୍ଚ କରିଛନ୍ତି ା ସେଥିପାଇଁ ସେ ପକ୍କା ଘର ଖଣ୍ଡିଏ ନିର୍ମାଣ କରି ପାରି ନାହାନ୍ତି ା ନିଜ ଭାଗରେ ପଡିଥିବା ଜାଗାରେ ଚାଳ କୁଡିଆ କରି ରହୁଥିଲେ । ହେଲେ ସେହି କୁଡିଆକୁ ମରାମତି ନ କରି ପାରିବାରୁ ତାହା ବର୍ଷା ପବନରେ ଭାଙ୍ଗି ଯାଇଛି । ତେଣୁ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ୧୨ ହଜାର ଟଙ୍କାରେ ବାଡି ପଟେ ନିର୍ମାଣ କରିଥିବା ଗ୍ରାମୀଣ ପାଇଖାନା ଘରେ ସ୍ତ୍ରୀ ହୁଲାସ ନାୟଙ୍କ ସହ ସେ ଦିନ କାଟୁଛନ୍ତି ା ପାଇଖାନା ଘର ବାହାରେ ଚୁଲି ପକାଇ ରୋଷେଇ କରୁଥିବା ବେଳେ ପାଇଖାନା ଭିତରେ ଖିଆପିଆ କରୁଛନ୍ତି । ଏ ନେଇ ମଧୁ ଜିଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ମାଳିସାହି ସମିତି ସଭ୍ୟଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସହ ଆସି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା ତେବେ ଆବାସ ଯୋଜନା ତାଲିକାରେ ମଧୁଙ୍କର ନାମ ନାହିଁ । ନାମ ସଂଯୋଗ କରିବା ପରେ ପାଳି ପଡିଲେ ତାଙ୍କୁ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି ବିଡିଓ ମିଶ୍ର କହିଛନ୍ତି।