ସ୍ବଚ୍ଛ ସାଥୀ, ସୁପରଭାଇଜରଙ୍କ ପ୍ରତିବାଦ

ଛତ୍ରପୁର,୯ା୧୨(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲାର ବିଭିନ୍ନ ପୌର ନିଗମ ଓ ଏନ୍‌ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଜର ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତିପତ୍ର ପ୍ରଦାନ ଆଦି ଦାବି ନେଇ ପ୍ରତିବାଦ ସହିତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଗଞ୍ଜାମ ଜିଲା ସ୍ବଚ୍ଛ ସାଥୀ ଓ ସୁପରଭାଇଜର ସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡ୍‌ଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲା ସଭାପତି ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଆଉଟ୍‌ସୋର୍ସିଂ ମହାସଂଘର ରାଜ୍ୟ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଆଉଟ୍‌ସୋର୍ସିଂ ମେଡିକାଲ କର୍ମଚାରୀ ନେତା ସି.ଏଚ୍‌ ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ବିନାୟକ ପତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ପରିଛା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ନିୟୋଜିତ ହଜାର ହଜାର ସ୍ବଚ୍ଛ ସାଥୀ ଓ ସୁପରଭାଇଜରମାନଙ୍କୁ କମ୍‌ ଦରମାରେ ଖଟାଇବା ଓ ସର୍ବନିମ୍ନ ଅଧିକାରରୁ ବଞ୍ଚିତ କରିବାକୁ ନିନ୍ଦା କରିଥିଲେ। ଶେଷରେ ସଭାପତି ସଂଯୁକ୍ତା ଦାସ, ସମ୍ପାଦିକା ସୁଦେଷ୍ଣା ନାୟକଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆଠ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

Share