Categories: ଖେଳ

ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ

ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ ବେରଙ୍ଗର ଆଲୋକମାଳା, ମ୍ୟୁଜିକ୍‌ରେ ଝଙ୍କାର ସହ ଢୋଲ ଏବଂ ଆତସବାଜୀର ରୋଷଣୀରେ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସ୍ବାଗତ ଭିନ୍ନ ପରିବେଶ ସୃଷ୍ଟି କରିଛି ଏବଂ ଦର୍ଶକଙ୍କ ଉପସ୍ଥିତି ଟୁର୍ନାମେଣ୍ଟକୁ ରୋଚକ ଏବଂ ରୋମାଞ୍ଚକ କରିଛି। ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସର ପରିସର ବହୁତ ବଡ଼ ନ ଥିଲେ ହେଁ ସ୍ବଦେଶୀ ଖେଳ ଖୋ ଖୋ ପ୍ରତି ଆଗ୍ରହ ମନୋଜ୍ଞ ପରିବେଶ ଏବ କ୍ବାଲିଟି ଖେଳାଳିଙ୍କ ଉପସ୍ଥିତି ପ୍ରତିଯୋଗିତାକୁ ଭିନ୍ନ ଏକ ସୋପାନରେ ପହଞ୍ଚାଇଛି। ପ୍ରଥମଥରପାଇଁ ହେଉଥିବା ଏହି ଫ୍ରାଞ୍ଜାଇଜ୍‌ ଭିତ୍ତିକ ପ୍ରତିଯୋଗିିତାରେ ୬ଟି ଦଳ ଭାଗ ନେଉଥିବାବେଳେ ଖୋ ଖୋ ଖେଳର କ୍ଷୀପ୍ରତା ପ୍ରତ୍ୟକ୍ଷଦର୍ଶୀଙ୍କୁ ବିମୋହିତ କରିଛି। ମୋଟାମୋଟିଭାବେ କହିବାକୁ ଗଲେ ଏହା ଲିଗ୍‌ର ପ୍ରଥମ ସଂସ୍କରଣ ହୋଇଥିଲେ ମଧ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି।
ଓଡ଼ିଶା ସରକାର ଏବେ ବିଭିନ୍ନ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ କ୍ରୀଡ଼ା ଜଗତର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି। ହକିରେ କଳିଙ୍ଗ ଲାନ୍ସର୍ସ ଏବଂ ଫୁଟବଲରେ ଓଡ଼ିଶା ଏଫ୍‌ସି ପରି ଏହି ପ୍ରତିଯୋଗିତାରେ ଅର୍ଥାତ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶାର ଏକ ନିଜସ୍ବ ଦଳ ଖେଳୁଛି। ଏହାର ନାମ ରଖାଯାଇଛି ଓଡ଼ିଶା ଜଗରନଟ୍ସ। ଓଡ଼ିଶା ଦଳ ଯେ କେବଳ ଏହି ପ୍ରତିଯୋଗିତାରେ ଭାଗ ନେଇଛି ତା ନୁହେଁ ନିଜର ଦମ୍‌ ଦେଖାଇବାରେ ସକ୍ଷମ ହୋଇଛି। ଲିଗ୍‌ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚତ୍ଥିବାବେଳେ ଏହି ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଚମତ୍କାର ପ୍ରଦର୍ଶନ କରି ଅନ୍ୟ ୫ ଦଳକୁ ପଛରେ ପକାଇ ଦେଇଛି। ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି ଓଡ଼ିଶା ଜଗରନଟ୍ସ। ଆଟାକ ହେଉ କି ଡିଫେନ୍ସ କିମ୍ବା ଡାଇଭ୍‌ ଅବା ସ୍କାଏ ଡାଇଭ୍‌ ଏବେ ଓଡ଼ିଶା ଦଳର ଖେଳାଳିମାନେ ସବୁଠୁ ଆଗରେ। କ୍ରିକେଟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ଏହି ପ୍ରତିଯୋଗିତାର ଶୀର୍ଷ ୪ ଦଳ ମଧ୍ୟ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଏହି ୪ ଦଳ ମଧ୍ୟରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଫଳରେ ଏହି ଦଳ କ୍ବାଲିଫାୟର-୧ ଖେଳିବା ନିଶ୍ଚିତ ହୋଇଛି। ଏହାର ଫାଇଦା ମଧ୍ୟ ଜଗରନଟ୍ସକୁ ମିଳିବ। କାରଣ କ୍ବାଲିଫାୟର-୧ର ପରାଜିତ ଦଳ ମଧ୍ୟ ଆଗକୁ ବଢ଼ିବା ପାଇଁ ଆଉ ଏକ ସୁଯୋଗ ପାଇବ। ଲିଗ୍‌ର ୩ ଓ ୪ ନମ୍ବର ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହାର ବିଜେତାକୁ କ୍ବାଲିଫାୟର-୧ର ବିଜେତା କ୍ବାଲିଫାୟର-୨ରେ ଭେଟିବ। କ୍ବାଲିଫାୟର-୧ ଓ ୨ ମଧ୍ୟରେ ଫାଇନାଲ ଖେଳାଯିବ। ତେଣୁ ଓଡ଼ିଶା ଦଳପାଇଁ ଫାଇନାଲ ପ୍ରବେଶର ପଥ ସୁଗମ ରହିଛି।
ଓଡ଼ିଶା ଜଗରନଟ୍ସ ଦଳରେ ରାଜ୍ୟର ମୋଟ ୬ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ଫ୍ରାଞ୍ଚାଇଜ୍‌ରେ ୪ ଜଣ ଖେଳାଳି ଖେଳୁଛନ୍ତି। ଏହିପରି ଓଡ଼ିଶାର ମୋଟ ୧୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ଖେଳାଳିମାନେ ପ୍ରଦର୍ଶନର ଛାପ ମଧ୍ୟ ଛାଡ଼ିଛନ୍ତି। ସିନିୟର ଖେଳାଳି ଜଗନ୍ନାଥ ମୁର୍ମୁ ଦଳ ପାଇଁ ଅନେକ ମ୍ୟାଚ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Share