ଭୁବନେଶ୍ୱର,୨୬।୨(ବ୍ୟୁରୋ): ଖଦୀ ଏକ ବସ୍ତ୍ର ନୁହେଁ, ବିଚାର। ଖଦୀ କହିଲେ ଆମେ ସେହି ପୁରୁଣା କିଛି ବସ୍ତ୍ରକୁ ଭାବିନେଉ। କିନ୍ତୁ ଖଦିରେ ବି ସ୍ବଦେଶୀ ସହ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଲାଣି। ସ୍ବଦେଶୀର ଆଦର ସବୁବେଳେ ରହି ଆସିଛି। ସେ ବସ୍ତ୍ର ହେଉ କି ଘରକରଣା ସାମଗ୍ରୀ, ନିଜ ହାତରେ ତିଆରି ହୋଇଥିବା ଜିନିଷଗୁଡ଼ିକ ସବୁବେଳେ ସୁନ୍ଦର। ଯେଉଁଥିପାଇଁ ଖଦୀର ଲୋକପ୍ରିୟତା ସବୁବେଳେ ରହି ଆସିଛି। ବୁଣାକାରମାନେ ଏହାକୁ ବେଶ୍ ଯତ୍ନରେ ତିଆରି କରିଥାନ୍ତି। ଖଦୀକୁ ଆଉ ଟିକେ ଆକର୍ଷିତ ଢଙ୍ଗରେ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ସ୍ବଦେଶୀର ବାର୍ତ୍ତା ଦେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ରାଜ୍ୟସ୍ତରୀୟ ଖଦୀ ମହୋତ୍ସବ ୨୦୨୩। ପ୍ରାୟ ୯୦ଟି ଷ୍ଟଲ୍ରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ,ତେଲେଙ୍ଗାନା, କର୍ନାଟକ ସମେତ ବିଭିନ୍ନ ରାଜ୍ୟର ଖଦୀ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି ହେଉଛି। ବସ୍ତ୍ର ସହ ଘର ଉପକରଣ ସମାଗ୍ରୀ, ଫୁଡ୍ ଷ୍ଟଲ ଆଦିରେ ଲୋକଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗ୍ରାହକଙ୍କୁ ମନୋରଞ୍ଜନ ଦେବା ସହ ସଂସ୍କୃତି ସହ ଯୋଡ଼ିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଶନିବାର ପଞ୍ଚମ ସାରେ ବ୍ରହ୍ମଗିରିର ନାଗା ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି।
ବସ୍ତ୍ର ବୁଣା ଦେଖିବାକୁ ଭିଡ଼ ଲାଗୁଛି
ମେଶିନ ଯୁଗରେ ତନ୍ତ, ଚରଖା ଦେଖିବାକୁ ଖଦୀ ମହୋତ୍ସବରେ ଲୋକଙ୍କ ଭିଡ଼। ତନ୍ତ ମାଧ୍ୟମରେ କିଭଳି ବସ୍ତ୍ର ବୁଣା ଯାଉଛି, ତାହାକୁ ଜଣେ ବୁଣାକାର ଷ୍ଟଲ୍ରେ ବସି ଦେଖାଉଛନ୍ତି। ଲୋକଙ୍କ ଆଖି ସାମ୍ନାରେ ଲୁଗା ଓ ଅନ୍ୟାନ୍ୟ ସମାଗ୍ରୀ ବୁଣାଯାଉଛି। ସେହିପରି ଚରଖାରେ ତୁଳାରୁ ସୂତା ତିଆରି ଦେଖାଉଛନ୍ତି ଗୀତାରାଣୀ ମହାନ୍ତି ଓ ବଚନି ସେଠୀ ନାମକ ୨ ମହିଳା କାରିଗର। ଉକ୍ତ ସୂତାରୁ ଗାମୁଛା, ଲୁଙ୍ଗୀ, ରୁମାଲ, ଜ୍ୟାକେଟ୍, ଶାଢ଼ୀ ପ୍ରସ୍ତୁତ କରାଯାଉଛି। ପ୍ରାୟ ୧୦ବର୍ଷ ହେବ ସେମାନେ ଏହି କାମ କରୁଥିବା କହିଛନ୍ତି।