ଯୁକ୍ତ ୨ କଳା ପରୀକ୍ଷାରେ ସ୍ବାଗତିକା ଦ୍ବିବେଦୀ ବଣାଇ ଉପଖଣ୍ଡ ଟପ୍ପର

ଲହୁଣୀପଡା,୯।୮(ଡି.ଏନ.ଏ.): ସଦ୍ୟପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ସ୍ବାଗତିକା ଦ୍ବିବେଦୀ ସର୍ବୋଚ୍ଚ ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହୋଇଛନ୍ତି। ଲହୁଣୀପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ବାଗତିକା ସର୍ବମୋଟ ୫୬୫ ନମ୍ବର ୯୪.୧୬ ଶତକଡା ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୨୦୨୦ ମସିହାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଣାଇଗଡ଼ ତରଫରୁ ମାଟ୍ରିକ ପରୀକ୍ଷା ଦେଇ ୯୨.୩୩ ଶତକଡା ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହେବା ସହିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହିସାବରେ ମଧ୍ୟ ସୁନ୍ଦରଗଡ଼ ଜିଲାର ଟପ୍ପର ହୋଇଥିବାରୁ ଜିଲାପାଳଙ୍କ ତରଫରୁ ସମ୍ମାନିତ ହୋଇଥିଲେ। ଲହୁଣୀପଡା ଡିଗ୍ରୀ କଲେଜର ଅଧ୍ୟକ୍ଷ ସଞ୍ଜୟ କୁମାର ଦ୍ବିବେଦୀ ଓ ଉର୍ମିଳା ଦ୍ବିବେଦୀଙ୍କ ଝିଅ ହୋଇଥିବା ବେଳେ ବଣାଇଗଡ଼ ରାଜବାଟି ସ୍ଥିତ ବାସଭବନ ଓ ଲହୁଣୀପଡା କଲେଜରେ ମଙ୍ଗଳବାର ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି। ଚଳିତ ବର୍ଷ ଲହୁଣୀପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀରେ, ୧୮ ଦ୍ୱିତୀୟ ଶ୍ରେଣୀରେ, ୪୯ ତୃତୀୟ ଶ୍ରେଣୀରେ ମୋଟ ୮୭ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ବୋଲି ଜଣାପଡିଛି।

Share