ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କ୍‌ରେ ସ୍ବାଗତିକା: ସଫଳତା ଦେଖିବାକୁ ପାଖରେ ନାହାନ୍ତି ଜେଜେମା’

ଭଦ୍ରକ, ୩୧ା୭(ସନାତନ ରାଉତ): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଅଧୀନ ବେଣିପୁର ଗୋପାଳବିନ୍ଧା ମହାନ୍ତିସାହିର ସ୍ବାଗତିକା ମହାନ୍ତି। ସେ କହନ୍ତି, ଭୁବନେଶ୍ୱରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆୟୁଷ ବିଭାଗରେ ଚାକିରି କରିଥିବା ବେଳେ ସନ୍ଧ୍ୟା ସମୟରେ ଏହି ପରୀକ୍ଷା ପାଇଁ ପ୍ରତ୍ୟେକ ଦିନ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ କରୁଥିଲେ। ଟପ୍‌-୫୦ ଭିତରେ ତାଙ୍କ ନଁା ରହିବ ବୋଲି ଆଶା ରଖିଥିଲେ। ତାହାଠାରୁ ଅଧିକ ଫଳ ମିଳିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି। ତାଙ୍କ ବାପା ବିଜୟ କୁମାର ମହାନ୍ତି ଖୋର୍ଦ୍ଧା ଡିଭିଜନର ରେଳ ବିଭାଗ କର୍ମଚାରୀ ଭାବେ ଚାକିରିରୁ ଅବସର ନେଇଥିବା ବେଳେ ମା’ ଶୁଭଶ୍ରୀ ମହାନ୍ତି ଜଣେ ଗୃହିଣୀ। ଏହି ପରୀକ୍ଷା ପ୍ରସ୍ତୁତି ନେଇ ସେ ଭାଙ୍ଗି ପଡ଼ିଥିଲେ। ମା’ ବାପାଙ୍କ ପ୍ରେରଣା ତାଙ୍କ ଅତ୍ମବିଶ୍ୱାସ ବଢ଼ାଇଥିଲା। ଭାଇ ଜୀବନ ଆନନ୍ଦ ମହାନ୍ତି, ଭାଉଜ ମଧୁସ୍ମିତା ବେହେରା ଓ ୬ ମାସ ତଳେ ଦେହାନ୍ତ ହୋଇଥିବା ଜେଜେମା’ ତାଙ୍କୁ ଏଥିପାଇଁ ଅଧିକ ଉତ୍ସାହିତ କରିଥିଲେ। ହେଲେ ଏହି ସଫଳତା ଦେଖିବାକୁ ଜେଜେମା’ ରହିଲେନି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।