ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ନିଧନ ପରେ ସାରାଦେଶରୁ ଶୋକର ବାର୍ତ୍ତା ଛୁଟୁଛି। ଇତିମଧ୍ୟରେ ଅଖିଳ ଭାରତ ହିନ୍ଦୁ ମହାସଭା ଏବଂ ସନ୍ଥ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ରାଷ୍ଟ୍ରମାତା ଘୋଷଣା କରିବାକୁ ଦାବି କରିଛନ୍ତି। ସ୍ବାମୀ ଚକ୍ରପାଣି ଟୁଇଟ କରି ମୋଦିଙ୍କ ମା’ଙ୍କ ବିୟୋଗକୁ ନେଇ ସମବେଦନା ଜଣାଇଛନ୍ତି। ଏଥିସହ ହୀରାବେନ ମୋଦିଙ୍କୁ ରାଷ୍ଟ୍ରମାତା ସମ୍ମାନ ମିଳୁ ବୋଲି ସେ ଦାବି କରିଛନ୍ତି। ଏହା ଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁଜ୍ୟ ମା’ ହୀରାବେନଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ବାମୀ ଚକ୍ରପାଣି ମହାରାଜ କହିଛନ୍ତି।