Categories: ଫୁରସତ

ସ୍ବାମୀନାରାୟଣ ଅକ୍ଷରଧାମ

ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ନିଜର ଆକର୍ଷଣୀୟ ବାସ୍ତୁକଳା ପାଇଁ କେବଳ ଦିଲ୍ଲୀରେ ନୁହେଁ ସାରା ଭାରତବର୍ଷରେ ଏପରିକି ଦେଶବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏହି ମନ୍ଦିରଟି ପ୍ରାୟ ୩୫୬ ଫୁଟ୍‌ ଲମ୍ବ, ୩୧୬ ଫୁଟ୍‌ ଚଉଡ଼ା ତଥା ୧୪୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥିଲେ ହେଁ, ଏହାର ସମ୍ପୂର୍ଣ୍ଣ ପରିସର କିନ୍ତୁ ପ୍ରାୟ ୮୬,୩୪୨ ବର୍ଗ ଫୁଟ୍‌ ପର୍ଯ୍ୟନ୍ତ ପରିବ୍ୟାପ୍ତ; ଯାହାକି ଅନ୍ୟ କୌଣସି ହିନ୍ଦୁ ମନ୍ଦିରରେ ପ୍ରାୟତଃ ଦେଖାଯାଇ ନ ଥାଏ। ଖାସ୍‌ ଏହି କାରଣ ପାଇଁ ୨୦୦୭ ଡିସେମ୍ବର ୧୭ରେ ଏହି ମନ୍ଦିରକୁ ଦୁନିଆର ସବୁଠାରୁ ବିଶାଳ ହିନ୍ଦୁ ମନ୍ଦିର ପରିସର ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପ୍ରାପ୍ତ ହୋଇଛି।

ମନ୍ଦିରର କାରୁକାର୍ଯ୍ୟ
ସୂଚନାନୁଯାୟୀ, ବୋଚାସନଓ୍ବାସି ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥାହେଉଛି ଏକ ସାମାଜିକ ଆଧ୍ୟାତ୍ମିକ ହିନ୍ଦୁ ସଂଗଠନ। ଏହି ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ୧୧୦୦ରୁ ଊର୍ଦ୍ଧ୍ୱ ମନ୍ଦିର ତଥା ସାଂସ୍କୃତିକ ପରିସରର ଦେଖାଚାହାଁ କରିଥାଏ। ତେବେ ଏହି ସଂସ୍ଥାର ପ୍ରମୁଖ ସ୍ବାମୀ ମହାରାଜଙ୍କ ନେତୃତ୍ୱରେ ଉକ୍ତ ମନ୍ଦିରଟି ଗଢାଯାଇଥିଲା। ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କର ଅକ୍ଳାନ୍ତ ପରିଶ୍ରମରେ ନିର୍ମିତ ହୋଇଥିବା ଏହି ମନ୍ଦିରଟିକୁ ଗଢିବା ପାଇଁ କେବଳ ରାଜସ୍ଥାନୀ ଗୋଲାପୀ ସାଣ୍ଡଷ୍ଟୋନ ଏବଂ ଇଟାଲିୟାନ୍‌ କରାରା ମାର୍ବଲର ବ୍ୟବହାର କରାଯାଇଛି। ଏଥିରେ ଷ୍ଟିଲ୍‌ କି ଲୁହା କି କଂକ୍ରିଟ୍‌ ଟିକେ ହେଲେ ବି ବ୍ୟବହାର ହୋଇନାହିଁ। ତା’ଛଡ଼ା ଏହି ମନ୍ଦିରରେ ରହିଛି ପ୍ରାୟ ୨୩୪ଟି କାରୁକାର୍ଯ୍ୟପୂର୍ଣ୍ଣ ଆକର୍ଷଣୀୟ ଖୁମ୍ବ, ୯ଟି ଗମ୍ବୁଜ ତଥା ହଜାର ହଜାର ସଂଖ୍ୟାର ବିଭିନ୍ନ ମୂର୍ତ୍ତି; ଯେଉଁଥିରେ ସାମିଲ ଅଛନ୍ତି ବିଭିନ୍ନ ଦେବଦେବୀ, ଋଷି, ସନ୍ଥ ତଥା ହାତୀମାନଙ୍କର ମୂର୍ତ୍ତି। ତା’ଛଡ଼ା ଏହି ମନ୍ଦିର ପରିସରରେ ପ୍ରାୟ ୧୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍ବାମୀ ନାରାୟଣଙ୍କର ଅଭୟମୁଦ୍ରାରେ ଥିବା ଭବ୍ୟ ପ୍ରତିମା ଥିବାର ମଧ୍ୟ ଦେଖାଯାଇଥାଏ।

ମନ କିଣିନିଏ ଫାଉଣ୍ଟେନ ଶୋ’
ଏହି ମନ୍ଦିର ପରିସରରେ ପ୍ରତିଦିନ ଆଗନ୍ତୁକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଶୋ’ର ଆୟୋଜନ କରାଯାଇଥାଏ। ଏହି ଶୋ’ ମାଧ୍ୟମରେ ଅନେକ କାହାଣୀକୁ ମଧ୍ୟ ଦର୍ଶାଯାଇଥାଏ, ଯାହା ଖୁବ୍‌ ମନଛୁଆଁ ହୋଇଥାଏ।

ଗାର୍ଡେନ ଅଫ୍‌ ଇଣ୍ଡିଆର ଆକର୍ଷଣ
ଉକ୍ତ ମନ୍ଦିର ପରିସରରେ ରହିଛି ଏହି ଆକର୍ଷଣୀୟ ଗାର୍ଡେନ ବା ବଗିଚାଟି। ଏଠାରେ ପର୍ଯ୍ୟଟକ ପିତ୍ତଳର ଅନେକ ମୂର୍ତ୍ତି ଦେଖିବା ସହ ସୁସଜ୍ଜିତ ବଗିଚା ଭିତରେ ଘାସର ଗାଲିଚା ଉପରେ ଚାଲି ବେଶ୍‌ ଆନନ୍ଦ ପାଇପାରିବେ। ତା’ଛଡ଼ା ଏହି ବଗଚା ଭିତରେ ରହିଛି ଯୋଗୀହୃଦୟ କମଲ୍‌; ଏକ ବିଶେଷ ପଦ୍ମଫୁଲ ଆକୃତିର ପ୍ରତିକୃତି। କୁହାଯାଏ, ଏହି ପ୍ରତିକୃତି କୁଆଡ଼େ ଶୁଭ ଭାବନାକୁ ଦର୍ଶାଇଥାଏ।

କେବଳ ଏତିକି ନୁହେଁ, ପର୍ଯ୍ୟଟକ ଏହି ମନ୍ଦିରର ବିଶାଳ ପରିସର ଭିତରେ ଆହୁରି ଅନେକ କିଛି ଆକର୍ଷଣୀୟ ଜିନିଷ ଦେଖିପାରିବେ। ଯେମିତିକି: ନାରାୟଣ ସରୋବର, ଅଭିଷେକ ମଣ୍ଡପ, ପ୍ରେମବତୀ ଆହାରଗୃହ, ସଂସ୍କୃତି ବିହାର (ବୋଟ୍‌ ରାଇଡ୍‌), ନୀଳକଣ୍ଠ ଦର୍ଶନ (ଥିଏଟର୍‌), ସହଜଆନନ୍ଦ ଦର୍ଶନ ଇତ୍ୟାଦି। ସଂକ୍ଷେପରେ କହିବାକୁ ଗଲେ, ଏହି ମନ୍ଦିର ଓ ଏହାର ପରିସରରେ ଥିବା ପ୍ରତ୍ୟେକଟି ଜିନିଷକୁ ଏତେ ସୁନ୍ଦର ଭାବେ ଯୋଜନା କରି ତିଆରି କରାଯାଇଛି ଯେ; ଯାହାକୁ ଥରେ ଦେଖିଲେ ଆଖି ଲାଖିଯିବ ଆଉ ତାହା ସବୁଦିନ ପାଇଁ ମନରେ ଘର କରିନେବ।

ମନ୍ଦିର ସମ୍ପର୍କରେ କିଛିଟା ଜରୁରୀ କଥା
ସୂଚନାନୁଯାୟୀ, ପ୍ରତି ସୋମବାର ଏହି ମନ୍ଦିର ବନ୍ଦ ରହିଥାଏ। ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରିବା ତଥା ପ୍ରଭୁଙ୍କ ଦର୍ଶନ କରିବା ନିଃଶୁଳ୍କ ହୋଇଥିଲେ ହେଁ, ମ୍ୟୁଜିକାଲ୍‌ ଫାଉଣ୍ଟେନ ଶୋ ତଥା ଅନ୍ୟାନ୍ୟ ଏକ୍‌ଜିବିଶନ୍‌କୁ ଦେଖିବାକୁ ହେଲେ ଆଗନ୍ତୁକଙ୍କୁ ସ୍ବତନ୍ତ୍ର ଟିକେଟ କାଟିବାକୁ ହୋଇଥାଏ। ସେହିପରି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ଠିକ୍‌ଠାକ୍‌ ପୋଷାକ ପିନ୍ଧିବା ମଧ୍ୟ ଦରକାର। ଅର୍ଥାତ୍‌ ଏପରି ପୋଷାକ ପିନ୍ଧିବା ଆବଶ୍ୟକ ଯେଉଁଥିରେ ସେମାନଙ୍କର ଛାତି, କାନ୍ଧ, ବାହୁ, ନାଭି ଆଦି ଲୁଚି ରହୁଥିବ, ତା’ସହିତ ପୋଷାକର ଲମ୍ବା ଆଣ୍ଠୁ ତଳକୁ ରହୁଥିବ। ଯଦି କୌଣସି ପର୍ଯ୍ୟଟକଙ୍କ ପାଖରେ ସେମିତି ପୋଷାକ ନ ଥାଏ, ତା’ହେଲେ ମନ୍ଦିରର ପ୍ରବେଶ ପଥରେ ଥିବା ଦୋକାନରୁ ମାତ୍ର ୧୦୦ ଟଙ୍କା ଦେଇ ସ୍ବତନ୍ତ୍ର ପୋଷାକ ଦେହରେ ଘୋଡେଇ ହୋଇ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ। ଏବଂ ମନ୍ଦିରରୁ ଫେରିବା ପରେ ସେହି ପୋଷାକକୁ ଫେରାଇଦେଲେ ଦୋକାନୀ ଆପଣଙ୍କୁ ପୁନର୍ବାର ୧୦୦ ଟଙ୍କା ଫେରାଇ ଦେବାର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ଅଛି।

Share