ପାଉଁଶରେ ପୋତାହେବ ଜଳାଶୟ, ବଢୁଛି ଜନ ଅସନ୍ତୋଷ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ଭୂତଳ ଜଳସ୍ତର ନିୟନ୍ତ୍ରଣ, ଜଳ ସଂରକ୍ଷଣ ସହ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ରାଜ୍ୟ ସରକାର ପୋଖରୀ ଖନନ କରୁଛନ୍ତି। ଦୁଇଦିନ ତଳେ ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି। ହେଲେ ସମ୍ବଲପୁର ଜିଲାରେ ପଥର ଉତ୍ତୋଳନ ପରେ ସୃଷ୍ଟି ହୋଇଥିବା କୃତ୍ରିମ ଜଳାଶୟକୁ ଏବେ ପାଉଁଶ (ଫ୍ଲାଏଆଶ)ରେ ପୋତିଦେବାକୁ ଯୋଜନା ଆରମ୍ଭ ହୋଇଛି। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ଯୁଯୁମୁରା ତହସିଲ ହାତିବାରୀ ମୌଜାରେ ଘରୋଇ କମ୍ପାନୀ ଫ୍ଲାଏଆଶ ଟ୍ରାନ୍ସପୋର୍ଟରକୁ ଖୁସି କରିବା ପାଇଁ ଉଦ୍ୟମ ଚଳାଇଛି। ସ୍ଥାନୀୟ ତହସିଲଦାର ମଧ୍ୟ ପଞ୍ଚାୟତକୁ ରିପୋର୍ଟ ମାଗିଛନ୍ତି। ଆପତ୍ତି ଅଭିଯୋଗ କରିବାକୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି। ଏହାର ଉତ୍ତର ପତ୍ର ଖୋଦ ସ୍ଥାନୀୟ ଆର୍‌ଆଇ ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କଠାରୁ ଆଣିଛନ୍ତି। ଲୋକଙ୍କ ଅଭିଯୋଗ ପାଇବା ପରେ ସରପଞ୍ଚ ଆର୍‌ଆଇଙ୍କୁ ଚିଠି ଫେରାଇବାକୁ କହିଛନ୍ତି। ଲୋକଙ୍କ ସୁବିଧା ଓ ମତାମତ ନେଇ କାମ କରାଯିବ ବୋଲି ସରପଞ୍ଚ ପଣ୍ଡା କହିଛନ୍ତି। ଅନ୍ୟପଟେ ତହସିଲଦାରଙ୍କ ନୋଟିସ୍‌କୁ ନେଇ ହାତିବାରି ଗ୍ରାମରେ ଜନ ଅସନ୍ତୋଷ ଦେଖାଦେଇଛି। ଏଠାରେ ପାଉଁଶ ଡମ୍ପିଂ କରି ପରିବେଶ ପ୍ରଦୂଷଣ କରିବା ଯୋଜନା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୂର୍ବରୁ ହାତିବାରୀ ମୌଜା ଖାତା ନଂ.୧୬୮, ପ୍ଲଟ ନଂ.୨୪୮୧ରେ ପ୍ରାୟ ୫ ଏକର ଜମିରେ ପଥର ଖାଦାନ ହୋଇଥିଲା। ପଥର ଉତ୍ତୋଳନ ପରେ ଏଠାରେ ଏକ ବିଶାଳ ଜଳାଶୟ ସୃଷ୍ଟି ହୋଇଛି। ଏହି ଜଳାଶୟରୁ ପମ୍ପ ସାହାଯ୍ୟରେ ପାଣି ନେଇ ଚାଷୀମାନେ ଚାଷ କରିଥାନ୍ତି। ଲୋକମାନେ ଖରା ଦିନରେ ଗାଧୋଇବା ସହ ଅନ୍ୟ କାମରେ ମଧ୍ୟ ବ୍ୟବହାର କରୁଛନ୍ତି। ଜଳାଶୟରୁ ପାଣି ପିଇ ବନ୍ୟଜନ୍ତୁ ମଧ୍ୟ ତୃଷା ମେଣ୍ଟାଇଥାନ୍ତି। ହେଲେ ଏବେ ଜଳାଶୟକୁ ପାଉଁଶରେ ପୋତିଦେବାକୁ ଯୋଜନା ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପକ୍ଷରୁ ପାଉଁଶ ପକାଇବାକୁ ଅନୁମତି ମଗାଯାଇଛି। ଗ୍ରାମ ସଭା ଓ ପଲ୍ଲିସଭାରେ କୌଣସି ରିପୋର୍ଟ ଦିଆଯାଉ ନାହିଁ ବୋଲି ହାତିବାରୀ ଓ ଜାମଟାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ତହସିଲଦାର ଓ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମର ଅଜୟ ବେହେରା, ଆକାଶ ସ୍ବାଇଁ, ଗିରିଗୋବର୍ଦ୍ଧନ ପାତ୍ର, ଓକିଲ ଝାଙ୍କର, ଗ୍ରାମର ସଭାପତି ମେଘନାଥ କଠାର ପ୍ରମୁଖ ତହସିଲଦାର ଅଭିଶେକ ସାହୁଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଖାଦାନକୁ ପୋତିବା ପାଇଁ ଦିଆଯାଇଥିବା ଅନୁମତି ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ସାହୁ କହିଛନ୍ତି, କମ୍ପାନୀ ଆବେଦନ କରିବା ପରେ ତହସିଲ ପକ୍ଷରୁ ପଞ୍ଚାୟତକୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ପଞ୍ଚାୟତ ରିପୋର୍ଟ ଦେବା ପରେ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ଦିଆଯାଇଛି। ଏହା ପ୍ରଥମ ପର୍ଯ୍ୟାୟର କାମ। ଚୂଡାନ୍ତ ହୋଇ ନାହିଁ ବୋଲି ସେ କହିଥିଲେ।

Share