କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ ବିଷୟକୁ ନେଇ ନିଜର ବେକାବୁ ବୟାନ ଦେଇ ଏହି ନାୟିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏବେ ସ୍ୱରା କୃଷକଙ୍କ ଆନ୍ଦୋଳନ ସ୍ଥାନରେ ଦେଖାଯାଇଛନ୍ତି । ଯାହାକୁ ନେଇ ସେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ମତ ରଖୁଥିବା ନାୟିକା ଏବେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେଠାରେ ବସିଥିବା ନଜର ଆସିଛି । ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି । ଅବଶ୍ୟ ସେଠାରେ ବସିବା ସମୟରେ ସେ କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ଗୋଟିଏ ଫଟୋରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । ଏମିତି କିଛି ଫଟୋ ଶେୟାର କରି ସେ ଲେଖିଛନ୍ତି ଏକ ନମ୍ର ଦେବା ଭଳି ଦିନ, ପ୍ରଦର୍ଶନକାରୀ କୃଷକ ଓ ବରିଷ୍ଠ ନାଗରିକଙ୍କ ଧୈର୍ଯ୍ୟ, ସଂକଳ୍ପ ଓ ଦୃଢତା ଦେଖିବାର ସମୟ ବୋଲି ଲେଖିବା ସହ ହ୍ୟାସଟ୍ୟାଗ ବି ବ୍ୟବହାର କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଦ କରି ପ୍ରାୟ ୨୩ ଦିନ ହେବ ଦିଲ୍ଲୀ ନିକଟରେ ବିଭିନ୍ନ ରାଜ୍ୟର କୃଷକ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

Share