Categories: ଜାତୀୟ

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, ଲୋକଙ୍କ ଭଲ ପାଇବାରୁ ଜଣେ ନେତା ହୋଇଥାଏ। ନେତାଗିରି କରିବା ଅର୍ଥ ଗାଡ଼ି କାହା ଉପରେ ଚଢ଼ାଇ ଦେବା ନୁହେଁ। କେବଳ ନିଜର ଆଚରଣରେ ଭୋଟ ମିଳେ। ଆମେ କାହାକୁ ଫର୍ଚୁନର୍‌ ଗାଡିରେ ମାଡି ଦେବାକୁ ନୁହେଁ, ନେତାଗିରି କରିବାକୁ ଏଠାକୁ ଆସିଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ଦେବ ସିଂଙ୍କ ବିବୃତି ଏପରି ଏକ ସମୟରେ ଆସିଛି, ଯେତେବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଲଖିମପୁର ଖେରି ହିଂସା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୨ ଘଣ୍ଟା ପଚରାଉଚରା ପରେ ଆଶିଷଙ୍କୁ ଶନିବାର ଗିରଫ କରାଯାଇଥିଲା। ତାଙ୍କୁ ମଧ୍ୟରାତ୍ରି ପରେ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତରେ ଜେଲକୁ ପଠାଯାଇଥିଲା। ନ୍ୟାୟିକ ମାଜିଷ୍ଟ୍ରେଟ ଆଶିଷଙ୍କୁ ଲଖିମ୍‌ପୁର ଖେରି ଜିଲା ଜେଲରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି।

Share