Categories: ଖେଳ

ସାତ୍ତ୍ୱିକ-ଚିରାଗ ନୂଆ ଏସିଆ ଚାମ୍ପିୟନ

ଦୁବାଇ, ୧ା୫ (ପି.ଟି.): ଦୀର୍ଘ ୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀନେଶ ଖାନ୍ନାଙ୍କ ପରେ ଷ୍ଟାର ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପ୍ରଥମ ଭାରତୀୟ ଯୋଡ଼ି ଭାବେ ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଛନ୍ତି। ଟାଇଟଲ ମୁକାବିଲାରେ ୨୦୨୨ ବିଶ୍ୱ ଚାମ୍ପିୟଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଓପନିଂ ଗେମ୍‌ରେ ପରାସ୍ତ ହେବାପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମାଲେସିଆର ଅଙ୍ଗ ୟେଉ ସିନ୍‌ ଓ ତେଓ ଏ ୟିଙ୍କ ବିପକ୍ଷରେ ୧୬-୨୧, ୨୧-୧୭, ୨୧-୧୯ରେ ବିଜୟ ଲାଭ କରିଥିଲେ। ପୂର୍ବରୁ ଖାନ୍ନା ଏକ ମାତ୍ର ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୧୯୬୫ରେ ଲକ୍ଷ୍ନୌଠାରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ଥାଇଲାଣ୍ଡର ସାନ୍‌ଗବ୍‌ ରାଟାନୁସୋର୍ନଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ। ଏସିଆ ଚାମ୍ପିୟନଶିପ୍‌ରେ ପୂର୍ବରୁ ଡବଲ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୧୯୭୧ରେ ଦେଖିବାକୁ ମିଳିଥିଲା। ସେତେବେଳେ ଦୀପୁ ଘୋଷ ଓ ରମଣ ଘୋଷ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ବାସେଲ୍‌ରେ ସୁଇସ୍‌ ଓପନ ସୁପର ୩୦୦ ଟାଇଟଲ ଜିତିଥିବା ସାତ୍ତ୍ୱିକ ଓ ଚିରାଗଙ୍କର ସିଜନରେ ଏହା ହେଉଛି ଦ୍ୱିତୀୟ ଟାଇଟଲ। ଏସିଆ ଚାମ୍ପିୟନଶିପ୍‌ ଟାଇଟଲ ବ୍ୟତୀତ ଏହି ଭାରତୀୟ ଯୋଡ଼ି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜିତିଥିବା ବେଳେ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ରେ ୫କ୍ୟାରିୟର ଟାଇଟଲ ହାସଲ କରିଛନ୍ତି। ୨୨ବର୍ଷୀୟ ସାତ୍ତ୍ୱିକଙ୍କ ଘର ଅମଲାପୁରମରେ ହୋଇଥିବା ବେଳେ ୨୫ ବର୍ଷୀୟ ଚିରାଗଙ୍କ ଜନ୍ମ ମୁମ୍ବାଇରେ। ରବିବାରର ଏହି ଫାଇନାଲ ପୂର୍ବରୁ ଭାରତ ୧୯୬୨ଠାରୁ ଏହି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ରେ ବିଭିନ୍ନ କାଟେଗୋରିରେ ଗୋଟିଏ ସ୍ବର୍ଣ୍ଣ ଓ ୧୭ ବ୍ରୋଞ୍ଜ ପଦକ ଜିତିଥିଲା।

Share