ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍ମେଟ୍ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ ଧିରେ ତାଙ୍କ ପ୍ରତି ଭଲପାଇବା ଆସିଯାଇଥିଲା ମନଭିତରେ। ସବୁଠୁ ବଡ଼ କଥା ଥିଲା ମୋତେ ବାହା ହେବା ଲାଗି ଝିଅଟି ଉଚ୍ଚ ଶିକ୍ଷିତା ହୋଇଥିବ, ଏକା ଜାତିର ହୋଇଥିବ ଇତ୍ୟାଦି ମୋ ମା’ ଖୋଜୁଥିବା ସମସ୍ତ ଗୁଣ ବି ଥିଲା ତାଙ୍କ ପାଖରେ। ଆମ ଭିତରେ ଖୁବ୍ ନିବୀଡ଼ ବନ୍ଧୁତା ଥିଲେ ବି କେବେ ଭଲପାଇବା ପ୍ରସଙ୍ଗ ଉଠି ନ ଥିଲା। ଯେହେତୁ ମୋ ମନରେ ତାଙ୍କପ୍ରତି ଷ୍ଟ୍ରଙ୍ଗ୍ ଫିଲିଙ୍ଗ୍ସ ଆସିଯାଇଥିଲା, ସେ ବି ମୋତେ ଲାଇକ୍ କରୁଥିବେ ନିଶ୍ଚୟ ବୋଲି ବିଶ୍ୱାସ ଥିଲା। ତେଣୁ ଥରେ ନୂଆ ବର୍ଷରେ ଓ୍ବିଶ୍ କରିବା ବେଳେ ମୁଁ ତାଙ୍କୁ ପ୍ରପୋଜ କରିଥିଲି। ଏବେବି ଭୁଲିନି ସେ ମୂହୁର୍ତ୍ତ, ହଠାତ୍ ଧିମା ପଡ଼ିଯାଇଥିବା ତାଙ୍କର ସେ ଲାଜୁଆ ଲାଜୁଆ କଣ୍ଠରେ ସହମତି। ସତରେ ଦୁନିଆ ଯେମିତି ରଙ୍ଗୀନ ହୋଇଯାଇଥିଲା ତାଙ୍କଠୁ ହଁ ଶୁଣିବା ପରେ। ଉଭୟ ପରିବାର ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇଯିବା ଆମ ପାଇଁ ଥିଲା ସବୁଠୁ ଖୁସିର କଥା। ଯଦିଓ ଏହା ପରେ ବିବାହ ହେବାକୁ ଆଠ ବର୍ଷ ଲାଗିଯାଇଥିଲା ହେଲେ ଆମ ପାଇଁ ପ୍ରେମର ଦୁନିଆ ଖୁବ୍ ସୁନ୍ଦର ପାଲଟି ଯାଇଥିଲା। ପ୍ରତିବର୍ଷ ଭଳି ଆଜି ବି ଆମେ ପରସ୍ପରକୁ ଭ୍ୟାଲେଣ୍ଟାଇନ୍ସ ଡ଼େ’ ଓ୍ବିଶ୍ କରିବା ସହ ସର୍ପ୍ରାଇଜ୍ ଗିଫ୍ଟ ଦେଇ କିଛି ସ୍ପେଶାଲ୍ ଖାଇବାର ମଜା ନେବାକୁ ପ୍ଲାନ୍ ରଖିଛୁ।
– ପୌର୍ଣ୍ଣମାସୀ