ଶପଥ ନେଲେ ଦୀପାଳି

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଦୀପାଳି ଦାସ ସୋମବାର ପୂର୍ବାହ୍ନରେ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ତାଙ୍କ ମା’ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି।

ଦୀପାଳି କହିଛନ୍ତି,  ଝାରସୁଗୁଡ଼ାବାସୀ ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି। ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବି।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ହୋଇଥିବା ବେଳେ ଗତ ୧୩ ତାରିଖରେ ଗଣତି ସରିଛି। ଏହି ଆସନରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ୍‌ ୧,୦୭,୧୯୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ବିପକ୍ଷରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ୫୮, ୪୭୭ ଖଣ୍ଡ ଭୋଟ୍‌ ପାଇଛନ୍ତି।

Share