ଇସଲାମାବାଦ,୧୩।୪: ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି। ସ୍ବିଡେନ ସଙ୍କଟଗ୍ରସ୍ତ ପାକିସ୍ତାନର ରାଜଧାନୀରେ ବର୍ତ୍ତମାନର ସୁରକ୍ଷା ସ୍ଥିତି କାରଣରୁ ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଥିବା ଘୋଷଣା କରିଛି। ଦୂତାବାସ ପକ୍ଷରୁ ବିପଦର କାରଣ ସମ୍ପର୍କରେ ବିସ୍ତାର ଭାବେ କିଛି କୁହାଯାଇ ନାହିଁ। ହେଲେ ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ରାଜନୈତିକ ସ୍ଥିତି ଖରାପ ହେବାରେ ଲାଗିଛି।
ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ମାମଲାରେ ତାଙ୍କ ପସନ୍ଦର ପ୍ୟାନେଲ ଗଠନ ପାଇଁ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ରୋକିବା ଉଦ୍ଦେଶ୍ୟରେ ଏକ ବିଲକୁ ଖଣ୍ଡନ କରିବାକୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରୁଛନ୍ତି। ଇସଲାମାବାଦରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଯୋଗୁ ସ୍ବିଡେନର ଦୂତାବାସ ପରିଦର୍ଶନକାରୀଙ୍କ ପାଇଁ ବନ୍ଦ ରହିଛି ବୋଲି ଦୂତାବାସର ଓ୍ବେସାଇଟରେ ଏକ ବିଜ୍ଞପ୍ତିରେ କୁହାଯାଇଛି।