Categories: ଖେଳ

ସେମିଫାଇନାଲରେ ପହଞ୍ଚିଲା ସୁଇଡେନ, ସ୍ପେନ

ଅକଲାଣ୍ଡ/ଓ୍ବେଲିଂଟନ,୧୧।୮: ସୁଇଡେନ ଓ ସ୍ପେନ୍‌ ଚଳିତ ଫିଫା ମହିଳା ଫୁଟ୍‌ବଲ ବିଶ୍ୱ କପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅକ୍‌ଲାଣ୍ଡଠାରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଡେନ ୨-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଛି।

ସୁଇଡେନ୍‌ ପକ୍ଷରୁ ଅମାଣ୍ଡା ଇଲେଷ୍ଟେଡ୍‌ ପ୍ରଥମାର୍ଦ୍ଧ ଖେଳର ୩୨ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଦଳପକ୍ଷରୁ ଦ୍ୱିତୀୟ ଗୋଲ୍‌ ଫିଲିପା ଆଲେଞ୍ଜଲଡାଲ୍‌ ୫୧ତମ ମିନିଟ୍‌ରେ ଏକ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତରିତ କରିଥିଲେ। ଖେଳର ଶେଷ ମୁହୂର୍ତ୍ତରେ ଜାପାନର ହୋନୋକା ହାୟାସି (୮୭ତମ ମିନିଟ) ଗୋଟିଏ ଗୋଲ୍‌ ପରିଶୋଧ କରିଥିଲେ।

ସେହିପରି ଓ୍ବେଲିଂଟନଠାରେ ଅତିରିକ୍ତ ସମୟ ଖେଳରେ ସଲ୍‌ମା ପାରାଲୁଏଲୋଙ୍କ ଗୋଲ୍‌ ବଳରେ ସ୍ପେନ୍‌ ୨-୧ ଗୋଲ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଫଳରେ ବିଶ୍ୱର ୬ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ ପ୍ରଥମ ଥର ମହିଳା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି।

ୟୁରୋପୀୟ ଫୁଟ୍‌ବଲର ଦୁଇ ଶକ୍ତିଶାଳୀ ଫୁଟ୍‌ବଲ ଦଳ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ମାରିଓନା କାଲ୍‌ଡେଣ୍ଟି ୮୧ତମ ମିନିଟ୍‌ରେ ହ୍ୟାଣ୍ଡବଲ୍‌ରୁ ମିଳିଥିବା ଏକ ପେନାଲ୍ଟିୁ ଗୋଲ୍‌ରେ ରୂପାନ୍ତରିତ କରି ସ୍ପେନକୁ ୧-୦ରେ ଅଗ୍ରଣୀ କରାଇଥିଲେ। ନେଦରଲାଣ୍ଡ୍ସର ଷ୍ଟିଫାନି ଭାନ୍‌ ଡର ଗ୍ରାଟ୍‌ ୯୦+୧ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ପରେ ଅତିରିକ୍ତ ସମୟ ଖେଳରେ ୧୯ ବର୍ଷୀୟା ସଲ୍‌ମା ୧୧୧ତମ ମିନିଟ୍‌ରେ ଗୋଲ ଦେଇ ସ୍ପେନକୁ ବିଜୟୀ କରାଇଥିଲେ।

Share