Categories: ଫୁରସତ

ବିଶ୍ୱର ସବୁଠୁ ବଡ଼ କାଠର ସହର ହେବ ସୁଇଡେନ

ଷ୍ଟକ୍‌ହୋମ: ଏପରି ଅନେକ ସହର ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର। ତା’ର ଉଚ୍ଚ ଅଟ୍ଟାଳିକା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ ସମସ୍ତ ଅଟ୍ଟାଳିକା କଂକ୍ରିଟ୍‌ରେ ତିଆରି ହୋଇଥିବା ସାଧାରଣ କଥା। କିନ୍ତୁ ଏପରି ଏକ ସହର ଅଛି, ଯାହାର ସମସ୍ତ ଜିନିଷ କାଠରେ ତିଆରି। ସୁଇଡେନ ଦୁନିଆର ପ୍ରଥମ କାଠର ସହର କରିବାକୁ ଘୋଷଣା କରିଛି, ଯାହା ବିଶ୍ୱର ସବୁଠୁ ବଡ଼ କାଠ ସହର ହେବ। ରିପୋର୍ଟ ମୁତାବକ, ସ୍ବିଡେନ ରାଜଧାନୀ ଷ୍ଟକ୍‌ହୋମରେ ବିଶ୍ୱର ସର୍ବପ୍ରଥମ କାଠର ସହର ତିଆରି କରାଯିବ। ଏହାକୁ ଡ୍ୟାନିସ ଷ୍ଟୁଡିଓ ହେନିଂ ଲାର୍ସେନ ଏବଂ ସୁଇଡେନ ଫିର୍ମ ୱାଇଟ୍‌ ଆର୍କିଟେକ୍ଚର ଡିଜାଇନ କରିବେ। ୨୦୨୫ ବେଳକୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୨୦୨୭ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ରହିଛି। ନିକଟରେ ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ ଭଳି ଦେଶରେ ଆକାଶ ଛୁଉଁଥିବା କାଠର କୋଠା ନିର୍ମାଣ କରାଯାଇଛି। ଗତବର୍ଷ ସିଙ୍ଗାପୁରରେ ୪୬୮ ହଜାର ବର୍ଗଫୁଟ ଅଞ୍ଚଳର କଲେଜ ପରିସର ଉଦ୍‌ଘାଟନ କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ କାଠରେ ହଁି ପ୍ରସ୍ତୁତ କରାଯାଇଛି। ଏହାକୁ କାଠରେ ତିଆରି ଏସିଆର ସବୁଠୁ ବଡ଼ କଲେଜ ବୋଲି କୁହାଯାଉଛି। ଷ୍ଟକ୍‌ହୋମର ଦକ୍ଷିଣ-ପୂର୍ବ ଅଞ୍ଚଳରେ ତିଆରି ହେବାକୁ ଥିବା ଏହି ସହରର ପ୍ରାୟ ୨୫୦ ହଜାର ବର୍ଗ କି.ମି. ଅଞ୍ଚଳରେ ପରିବ୍ୟାପ୍ତ ହେବ। ଏଠାରେ ୭ହଜାର ଅଫିସ, ୨ହଜାର ଘର ତିଆରି କରାଯିବ। ଏଠାରେ ଲୋକ ରହିପାରିବେ। ଏଥିସହ ରେଷ୍ଟୁରାଣ୍ଟ, ଦୋକାନ ଏବଂ ପାର୍କ ମଧ୍ୟ ନିର୍ମାଣ କରାଯିବ। ଏହି ସ୍ଥାନରେ ପୂର୍ବରୁ ୫୦୦ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛି। ଏହି ସହରକୁ ୫ ମିନିଟ୍‌ର ସହର ମଧ୍ୟ କୁହାଯାଇ ପାରିବ। କାରଣ ଏହି ସହରକୁ ୫ ମିନିଟ୍‌ରେ ପୂରା ବୁଲିହେବ।

Share