Categories: ଜାତୀୟ

ଖଟା-ମଧୁର ସମ୍ପର୍କ: ମୋଦିଙ୍କ ପାଇଁ ୩ ପ୍ରକାର ଆମ୍ବ ପଠାଇଲେ ମମତା…

କୋଲକାତା,୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ରାଜନୈତିକ ମତଭେଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ କିସମର ଆମ୍ବ ପଠାଇଛନ୍ତି। ୧୨ ବର୍ଷର ଦୀର୍ଘ ପରମ୍ପରାକୁ ଅନୁସରଣ କରି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଋତୁକାଳୀନ ଫଳ ପଠାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚାରି କିଲୋ ଆମ୍ବ ପଠାଯାଇଛି। ହିମସାଗର, ଲକ୍ଷ୍ମଣଭୋଗ ଏବଂ ଫାଜଲି ସମେତ ସମସ୍ତ କିସମର ଚାରି କିଲୋ ଆମ୍ବ ପିଏମ ମୋଦିଙ୍କ ନିକଟକୁ ପଠାଯାଇଛି। ଏହି ଆମ୍ବଗୁଡିକ ଏକ ସୁନ୍ଦର ଉପହାର ବାକ୍ସରେ ପ୍ୟାକ କରାଯାଇ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମ୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ନିକଟକୁ ମଧ୍ୟ ଆମ୍ବ ପଠାଯାଇଛି।

କେବଳ ଦିଲ୍ଲୀ ନୁହେଁ, ମୁଖ୍ୟମନ୍ତ୍ରୀ ମମତା ଆମ୍ବ ସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ୨୦୨୧ ମସିହାରେ ମମତା ବାନାର୍ଜୀଙ୍କ ଉପହାର ବଦଳରେ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କୁ ଉପହାର ସ୍ବରୂପ ୨୬୦୦ କିଲୋଗ୍ରାମ ଆମ୍ବ ପଠାଇଥିଲେ। ବାଂଲାଦେଶୀ ଟ୍ରକରେ ଅଣାଯାଇଥିବା ଏହି ସାମଗ୍ରୀରେ ୨୬୦ ଟି ବାକ୍ସରେ ପ୍ରସିଦ୍ଧ ‘ହରିଭଙ୍ଗା’ ଆମ୍ବ ରହିଥିଲା। ସିଏମ ବାନାର୍ଜୀ ପାରମ୍ପାରିକ ଅଭ୍ୟାସକୁ ପାଳନ କରି ଗତ ବର୍ଷ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ମଧ୍ୟ ଆମ୍ବ ପଠାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଖଟା-ମଧୁର ସମ୍ପର୍କ ରହିଛି। ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଥିଲେ ଦୁର୍ଗା ପୂଜା ଅବସରରେ ମମତା ବାନାର୍ଜୀ ତାଙ୍କ ପାଇଁ କୁର୍ତ୍ତା-ପାଇଜାମା ଏବଂ ମିଠା ମଧ୍ୟ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅକ୍ଷୟ କୁମାରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ବିରୋଧୀ ଦଳଗୁଡ଼ିକରେ ମୋର ଅନେକ ବନ୍ଧୁ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମମତା ଦିଦି ମୋ ପାଇଁ ପ୍ରତିବର୍ଷ ଗୋଟିଏ କିମ୍ବା ଦୁଇଟି କୁର୍ତ୍ତା ବାଛନ୍ତି।

Share