Advertisement

ରୋଜଗାର ଦେଉଛି ମିଠା ମକା ଚାଷ

ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ)ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ (ସୁଇଟକର୍ଣ୍ଣ)। ସକାଳ ହେଉ କି ସନ୍ଧ୍ୟା ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ। ବଦଳାଇ ଦେଇଛି ଜଣେ ଚାଷୀଙ୍କ ଜୀବନ ଶୈଳୀ। ମିଠା ମକା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କପୁରମାଲ ଗାଁର ହର ପଟେଲ। ଏହି ଚାଷ କରି ସେ ଏବେ ବେଶ ଲାଭବାନ ହୋଇଛନ୍ତି। ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏବେ ଲାଭ ପାଉଛନ୍ତି ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା। ଗତ ୫ ବର୍ଷ ହେବ ମିଠାମକା ଚାଷ କରି ହର ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇପାରିଛନ୍ତି। ଉତ୍ପାଦିତ ଫସଲକୁ ସେ ବିକ୍ରି ପାଇଁ ପାଖ ବଜାର ଓ ଆଖପାଖ ଅଞ୍ଚଳ ଉପରେ ନିର୍ଭର କରନ୍ତି। ଯୁବଚାଷୀ ହର କମ ଖର୍ଚ୍ଚରେ ଓ କମ ସମୟରେ ଅମଳ ହେବା ଚାଷ ପ୍ରଣାଳୀକୁ ଆପଣାଇ ଆରମ୍ଭ କରିଥିଲେ ମିଠାମକା ଚାଷ। ଏହା ସହ ସେ ପନିପରିବା ଚାଷ ମଧ୍ୟ କରିଛନ୍ତି। ହର ସ୍ଥାନୀୟ କୃଷୀ ଅଧିକାରୀଙ୍କଠାରୁ ବୁଝାବୁଝି କରି ଜୈବିକ ଓ ରାସାୟନିକ ପଦ୍ଧତିରେ ମିଠାମକା ଚାଷ କରିଛନ୍ତି। ଋତୁ ଅନୁସାରେ ଚାଷୀ ଜଣକ ନିଜ କ୍ଷେତରୁ ବାର୍ଷିକ ୨ ଥର ଫସଲ ଉତ୍ପାଦନ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇପାରିଛନ୍ତି। ସରକାରୀସ୍ତରରେ ଚାଷୀଙ୍କୁ ଯଦି ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇ ପାରନ୍ତା ତେବେ ଆଗାମୀ ଦିନରେ ଏହି ଅଞ୍ଚଳର ଅନେକ ଯୁବକ ମିଠାମକା ଚାଷ କରି ଲାଭବାନ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share