ମଧୁର ବାଲି ରପ୍ତାନି ପ୍ରସଙ୍ଗ: ଯାଞ୍ଚ ପରେ କ୍ଲିୟରାନ୍ସ ମିଳିଲା

ପାରାଦୀପ,୧।୮(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଆଣ୍ଡାମାନ ପୋର୍ଟବ୍ଲେୟାର ଯିବାକୁ ଥିବା ମଧୁର ବାଲି ପାଇଁ ସୋମବାର କ୍ଲିୟରାନ୍ସ ମିଳିଛି। କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯାଞ୍ଚ ଓ ଫାଇନ ଆଦାୟ ପରେ କ୍ଲିୟରାନ୍ସ ଦେଇଥିବା ସୂଚନା ମିଳିଛି। ତହସିଲଦାର ମିଶ୍ରଙ୍କ ସୂଚନା ଅନୁଯାୟୀ, ରପ୍ତାନିକାରୀ ସଂସ୍ଥା ଫେୟାରମାକ କମ୍ପାନୀ ବାଲି ଉତ୍ତୋଳନ ସମ୍ପର୍କରେ ୱାଇ ଫର୍ମ ଦେଖାଇଥିଲେ। ଏହା ଭାଲିଡ୍‌ ଥିଲା। ଯେତିକି ପରିମାଣ ବାଲି ରପ୍ତାନି ପାଇଁ ଗଚ୍ଛିତ ରହିଛି ଏବଂ ୱାଇ ଫର୍ମ ହିସାବରେ ଅଧିକ ହେବାରୁ ସେଥିପାଇଁ ସମ୍ପୃକ୍ତ କମ୍ପାନୀକୁ ଅବଶିଷ୍ଟ ରୟାଲିଟି ଦେବାପାଇଁ କୁହାଯାଇଥିଲା। ୩ ଲକ୍ଷ ଟଙ୍କାରୁ ଅଧିକ ରୟାଲିଟି ଦେବାପରେ ବାଲି ରପ୍ତାନୀ ପାଇଁ କ୍ଲିୟରାନ୍ସ ଦିଆଯାଇଛି। ଏହା ମିଳିବା ପରେ ସୋମବାର ରାତିରେ ବାଲି ନେବାକୁ ଆସିଥିବା ପଣ୍ୟବାହୀ ଜାହାଜ ଏମ୍‌ଭି ଗୋଲ୍ଡେନ ଫ୍ଲେମ ବର୍ଥିଂ ହୋଇଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହି ରପ୍ତାନିକାରୀ କମ୍ପାନୀ ପୂର୍ବରୁ ୨ ଥର ବାଲି ଆଣ୍ଡାମାନ ପଠାଇଛି। ଏବେ ପୁଣି ୨୩ ହଜାର ମେଟ୍ରିକ୍‌ ଟନ ବାଲି ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଉକ୍ତ ବାଲି ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଖୋଳତାଡ଼ କରିବା ସହ ଯାଞ୍ଚ କରିବାରୁ ୨ ଦିନ ହେବ ଜାହାଜ ଅଟକି ଥିଲା। ଏହି ଘଟଣା ସମ୍ପର୍କରେ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି, ଜିଲା ପ୍ରଶାସନ ଯାଞ୍ଚରୁ ସ୍ପଷ୍ଟ ହୋଇଛି ବନ୍ଦର ପ୍ରଶାସନ କୌଣସି ପ୍ରକାର ଅନିୟମିତତା କରିନାହାନ୍ତି। କେତେକ ଚକ୍ରାନ୍ତକାରୀ ଏଭଳି କୁତ୍ସାରଚନା କରିଥିଲେ ବୋଲି ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।