ମିଠା ଦୋକାନ ସିଲ୍‌

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଟ୍ରେଡ୍‌ ଲାଇସେନ୍ସ ଫୁଡ ଲାଇସେନ୍ସ ଆଦି ନ ଥିବା କାରଣ ଦର୍ଶାଇ ଏଭଳି ବିନା ନୋଟିସ୍‌ରେ ସିଲ୍‌ କରି ଦିଆଯାଇଥିବା ମାଲିକ ଶିବ କୁମାର ରାଠୋର କହିଛନ୍ତି। ତେବେ ଆଜି ଉକ୍ତ ଦୋକାନର ଜଣେ କର୍ମଚାରୀ ଦୋକାନରେ ମିଠାରେ ମୂଷା ପଡ଼ିଥିବା, ମଇଳା ଆବର୍ଜନା ପରିବେଶରେ ମିଠା ପ୍ରସ୍ତୁତ ହୋଇଥିବା ନେଇ ଅଭିଯୋଗ କରିବା ପରେ ପୌରପାଳିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ତେବେ ସହରରେ ଏଭଳି ବିନା ସରକାରୀ ନୀତି ନିୟମ ପାଳନ ନ କରି ବହୁ ବ୍ୟବସାୟିକ ସଂସ୍ଥା, ସ୍କ୍ରାପ୍‌ ବ୍ୟବସାୟ ଆଦି ଚାଲିଥିବା ବେଳେ ଏନେଇ ପୌରପାଳିକା ପକ୍ଷରୁ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଇନାହିଁ। ସେହିପରି ବହୁ ସରକାରୀ ଜମି ଜବରଦଖଲ କରି ବ୍ୟବସାୟ କରିବା, ପ୍ଲାନ ବାହାରେ ଦୋକାନ ବଜାର ଚାଲିଥିବା, ବିନା ପାର୍କିଂ ବ୍ୟବସ୍ଥାରେ ଦୋକାନ, ବ୍ୟବସାୟିକ ସଂସ୍ଥା ଚାଲିଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଏବଂ କେତେକ କ୍ଷେତ୍ରରେ ନୋଟିସ୍‌ ଦେଇ ବର୍ଷ ବର୍ଷ ସମୟ ଗଡ଼ାଇ ବେଆଇନ କାମକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି। ତେବେ ନୋଟିସ୍‌ କରିବା ସହ ସବୁ ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରିଣୀ ଡାକ୍ତର ମଧୁସ୍ମିତା ସାମନ୍ତରା କହିଛନ୍ତି।