Categories: ଖେଳ

‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କଲେ ମାନା ପଟେଲ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଅଲିମ୍ପିଆନ୍‌ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ୍‌ ଲେଗ୍‌ରେ ସେ ଏହି ସଫଳତା ପାଇଛନ୍ତି। ୨୨ ବର୍ଷୀୟା ସନ୍ତରଣକାରୀ ରବିବାର ରାତିରେ ଅନୁଷ୍ଠିତ ପ୍ରତିଯୋଗିତାରେ ୦୧:୦୩.୬୯ ଟାଇମିଂ ହାସଲ କରି ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପୂର୍ବରୁ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ଭାରତୀୟଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୦୧:୦୩.୭୭। ସେହି ରେକର୍ଡ ମଧ୍ୟ ମାନାଙ୍କ ନାମରେ ଥିଲା। ଏହି ରେକର୍ଡ ସେ ବେଲଗ୍ରେଡ୍‌ଠାରେ ଗତ ବର୍ଷ ହାସଲ କରିଥିଲେ।
ପ୍ରତିଯୋଗିତାରେ ମାନା ମୋଟ ୧୫ତମ ପ୍ରତିଯୋଗୀ ଭାବେ ବି’ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲରେ ସେ ୦୧:୦୩.୮୭ ସେକେଣ୍ଡ୍ସରେ ରେସ୍‌ ଶେଷ କରିଥିଲେ। ଉଲ୍ଲେଖଯୋଗ୍ୟ, ସନ୍ତରଣରେ ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ରେ ହାସଲ କରାଯାଇଥିବା ଟାଇମିଂକୁ ହିଁ ଜାତୀୟ ରେକର୍ଡ ଆଖ୍ୟା ଦିଆଯାଏ। ଏଣୁ ଅନ୍ୟ ପ୍ରତିଯୋଗିତାରେ ଭାରତୀୟଙ୍କ ଦ୍ୱାରା ହାସଲ କରଯାଇଥିବା ଟାଇମିଂକୁ ‘ବେଷ୍ଟ ଇଣ୍ଡିଆନ ଟାଇମ୍‌’ କୁହାଯାଏ।

Share