Categories: ଜାତୀୟ

ସିଙ୍ଘୁରେ ଖଣ୍ଡା ବୁଲିଲା

ନୂଆଦିଲ୍ଲୀ,୩୦ା୧(ପି.ଟି.): ଦିଲ୍ଲୀ-ହରିୟାଣାର ସିଙ୍ଘୁସୀମାରେ ୨ ମାସ ଧରି ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ। ଶୁକ୍ରବାର ଉକ୍ତ ସୀମାର କଲୋନୀଗୁଡ଼ିକରେ ରହୁଥିବା ପ୍ରାୟ ୨୦୦ ଲୋକ ସେମାନଙ୍କୁ ଆନ୍ଦୋଳନ ସ୍ଥଳ ଖାଲି କରିବାକୁ କହିଥିଲେ। ଫଳରେ ସିଙ୍ଘୁବାସୀ ଓ ଚାଷୀ ମୁହଁାମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପରସ୍ପରକୁ ଠେଙ୍ଗା ଓ ଟେକାମାଡ଼ କରାଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା। କିଛି ସମୟ ପାଇଁ ସମ୍ପୃକ୍ତ ଅଞ୍ଚଳ ରଣକ୍ଷେତ୍ର ପାଲଟିଯାଇଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅନେକେ ଆହତ ହୋଇଛନ୍ତି। ସେଠାରେ ଦିଲ୍ଲୀ ପୋଲିସର ଅନେକ କର୍ମଚାରୀ ମୁତୟନ ଥିବାବେଳେ ଆଲିପୁର ଏସ୍‌ଏଚ୍‌ଓ ପ୍ରଦୀପ ପଲିଓ୍ବାଲଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିଥିଲେ। ୨ ପୋଲିସ କର୍ମଚାରୀ ଆହତ ହେବା ପରେ ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ମାରି କାବୁ କରିନେଇଥିଲେ। ଏହି ମାମଲାରେ ପୋଲିସ ୪୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରିଥିବାରୁ କୃଷକମାନେ ଆନ୍ଦୋଳନସ୍ଥଳ ଛାଡ଼ି ଚାଲିଯାଆନ୍ତୁ ବୋଲି ସିଙ୍ଘୁବାସୀ ଦାବି କରିଛନ୍ତି।

Share