ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ହନୁମାନ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବାତୁଳା ଗଙ୍ଗାଧର, ଏସ୍‌ଏମ୍‌ସି କମିଶନର ପ୍ରଦୀପ କୁମାର ସାହୁ, ଏଡିଏମ୍‌ ଉମାକାନ୍ତ ରାଜ, ଉପଜିଲାପାଳ ମୟୁର ବିକାଶ ସୂର୍ଯ୍ୟବଂଶୀ, ପିଡି ଦିଲୀପ କୁମାର ବଳ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲାପାଳ ପରିଡା ଆସନ୍ତା ୧୪ତାରିଖରେ ସମସ୍ତଙ୍କ ସହଯୋଗ କାମନା କରି ଶାନ୍ତି ଶୃଙ୍ଖଳାରେ ଯେଭଳି ହନୁମାନ ଜୟନ୍ତୀ ପାଳନ ହେବ ସେ ନେଇ କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।

ଏସ୍‌ପି ଗଙ୍ଗାଧର କହିଥିଲେ, କୋଭିଡ୍‌ କଟକଣା ହଟିବା ପରେ ଚଳିତବର୍ଷ ଜୟନ୍ତୀ ପାଳନ କରାଯାଉଛି। ଏବର୍ଷ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ରୋକ ଲଗାଯାଇଛି। ନିଶାଦ୍ରବ୍ୟ ସେବନ କରି ଶୋଭାଯାତ୍ରାରେ ସାମିଲ ନ ହେବାକୁ କମିଟି ସଦସ୍ୟଙ୍କୁ ସେ ଅନୁରୋଧ କରିଥିଲେ। ଏହାସହ ଶୋଭାଯାତ୍ରା ପୂର୍ବରୁ ଥାନା ଗୁଡିକରେ ରୁଟ୍‌ ବିଷୟରେ ଜଣାଇ ଅନୁମତି ନେବାକୁ କହିଥିଲେ। ଆଖଡାରେ ଯେଉଁମାନେ ସାମିଲ ହେବେ ସେମାନେ ପାରମ୍ପରା ଅନୁସାରେ ପାଳନ କରନ୍ତୁ। ସୁରକ୍ଷା ସୃଷ୍ଟିରୁ ବିଭିନ୍ନ ଛକରେ ଓ ଶୋଭାଯାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍‌ୟନ ରହିବେ ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ।

ହନୁମାନ ଜୟନ୍ତୀ ସମନ୍ବୟ ସମିତି ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ବହିଦାର କହିଥିଲେ, ବହୁ ବର୍ଷ ହେବ ହନୁମାନ ଜୟନ୍ତୀ ପାଳିତ ହୋଇଆସୁଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଶୋଭାଯାତ୍ରାରେ ଝଣ୍ଡା ଓ ଆଖଡା କରିବାର ପରମ୍ପରା ରହିଛି। ଭାବନା ସହିତ ଜଡିତ ଥିବାରୁ ଏହାକୁ ଅନୁମତି ଦିଆଯାଉ। ଏହା ସହ ସହରର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିବାକୁ ଥିବାରୁ ରାସ୍ତାରେ ପଡିଥିବା ଘର ନିର୍ମାଣ ସାମଗ୍ରୀ ହଟାଇ ଦିଆଯାଉ। ବିଦ୍ୟୁତ କାଟ ନ ହେବା ପାଇଁ ଦାୟିତ୍ୱରେ ଥିବା କମ୍ପାନୀକୁ ତାଗିଦ କରିବା ସହ ଶୋଭାଯାତ୍ରା ସମୟରେ ମେଡିକାଲ ଓ ପାଣି ସୁବିଧା ଯୋଗାଇଦେବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜୟନ୍ତୀ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share