Categories: ଖେଳ

ସୟଦ ମୁସ୍ତାକ ଅଲୀ ଟି୨୦: ଶୁଭ୍ରାଂଶୁଙ୍କ ଶତକ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): ଶୁଭ୍ରାଂଶୁ ସେନାପତିଙ୍କ ଦ୍ରୁତ ଶତକ ସହାୟତାରେ ଓଡ଼ିଶା ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆସାମକୁ ୧୧ ରନରେ ପରାସ୍ତ କରିଛି। ମୁମ୍ବାଇର ଡିଓ୍ବାଇ ପାଟିଲ ୟୁନିଭର୍ସିଟି ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୨୦ ଓଭରରେ ୨ ଉଇକେଟ ହରାଇ ୨୨୬ ରନ କରିଥିଲା। ମାତ୍ର ୪୫ ବଲ୍‌ରୁ ଶତକ ପୂରଣ କରିଥିବା ଶୁଭ୍ରାଂଶୁ ୫୪ ବଲ୍‌ରୁ ୧୧୮ (୧୦ ଚୌକା, ୮ ଛକା) ରନକରି ଅପରାଜିତ ରହିଥିଲେ। ସନ୍ଦୀପ ପଟ୍ଟନାୟକ ମଧ୍ୟ ଦ୍ରୁତ ହାରରେ ରନ ସଂଗ୍ରହ କରି ୫୭ ବଲ୍‌ରୁ ୮୭ (୮ ଚୌକା, ୩ ଛକା) ରନ ସ୍କୋର କରିଥିଲେ। ଆସାମ ପକ୍ଷରୁ ମୁକ୍ତେଶ୍ୱର ହୋସେନ ୨ଟି ଉଇକେଟ ନେଇଥିଲେ। ୨୨୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଆସାମ ୨୦ ଓଭରରେ ୯ ଉଇକେଟ ହରାଇ ୨୧୫ ରନ କରିବାକୁ ସକ୍ଷମ ହୋଇଥିଲା। ରିୟାନ ପରାଗ ୧୯ ବଲ୍‌ରୁ ସର୍ବାଧିକ ୪୫ (୪ ଚୌକା, ୩ ଛକା) ଓ ଏସ.ସି. ଘାଡ଼ିଗାଓଁକର ୨୩ ବଲ୍‌ରୁ ୪୪ (୫ ଚୌକା, ୨ ଛକା) ରନ କରିଥିଲେ। ଓଡ଼ିଶା ପକ୍ଷରୁ ସୁନୀଲ କୁମାର ରାଉଳ ୪ ଓଭରରେ ୩୬ ରନ ଦେଇ ୩ଟି ଏବଂ ଦେବବ୍ରତ ପ୍ରଧାନ ୨ଟି ଉଇକେଟ ନେଇଥିଲେ।

Share