କର୍ନାଟକର ସଙ୍କେତ

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି। ଏଥିସହ ଭାଜପାର ଦାକ୍ଷିଣାତ୍ୟ ବିଜୟ ସ୍ବପ୍ନ ଚୂର୍‌ମାର ହୋଇଯାଇଛି। ଏକ ଘମାଘୋଟପୂର୍ଣ୍ଣ ଲଢ଼େଇରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିଛି। ଯଦିଓ ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଆଉ ୪ଟି ରାଜ୍ୟର ନିର୍ବାଚନ ବାକି ରହିଛି, ତଥାପି ଏକ ବଡ଼ ରାଜ୍ୟ ଓ ଦାକ୍ଷିଣାତ୍ୟର ଦ୍ୱାର ଭାବେ ପରିଚିତ କର୍ନାଟକର ସଫଳତା ଦଳ ପାଇଁ ଯେ କେବଳ ଆତ୍ମବିଶ୍ୱାସ ଆଣିଛି ସେକଥା ନୁହେଁ, ଜାତୀୟ ସ୍ତରରେ ୨୦୨୪ ଲୋକ ସଭା ନିର୍ବାଚନ ନିମନ୍ତେ ଭାଜପା ବିରୋଧୀ ରାଜନୀତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ହେବ ବୋଲି ମନେକରାଯାଉଛି। ଭାଜପାର ଦୁର୍ନୀତିମୂଳକ ଶାସନ ଓ ମୁସ୍‌ଲିମ ସଂରକ୍ଷଣ ବାତିଲ ବିରୋଧରେ ଚଳିତ ଜନମତ ଯାଇଥିବା ମନେକରାଯାଏ। ଏହା ପଛକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ରହିଛି। କର୍ନାଟକକୁ ମିଶାଇ ଏହି ୫ ରାଜ୍ୟର ମୋଟ ଲୋକ ସଭା ଆସନ ସଂଖ୍ୟା ୧୧୦। ଛତିଶଗଡ଼ ଓ ରାଜସ୍ଥାନ ଏବେ କଂଗ୍ରେସ ଦଖଲରେ ରହିଥିବା ବେଳେ ତେଲଙ୍ଗାନା ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି ଦଖଲରେ ରହିଛି। ମୂଳରୁ ମଧ୍ୟପ୍ରଦେଶ କଂଗ୍ରେସ ଦଖଲରେ ଥିଲେ ମଧ୍ୟ ଦଳର ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ ଘୋଷଣା କରି ନିଜ ସମର୍ଥକଙ୍କ ସହ ଭାଜପାରେ ଯୋଗଦେବା ଫଳରେ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିଥିଲା। ଏଣୁ ସାମ୍ପ୍ରତିକ କର୍ନାଟକ ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଅନ୍ୟ ରାଜ୍ୟର ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
କର୍ନାଟକ ନିର୍ବାଚନ ଫଳାଫଳ ସମୀକ୍ଷା କରିବା ଅବସରରେ ‘ଭାରତ ଯୋଡ଼ୋ’ ଯାତ୍ରା ବିଷୟ ଚିନ୍ତା କରିବାକୁ ପଡ଼ିବ। ‘ଭାରତ ଯୋଡ଼ୋ’ ଯାତ୍ରା ପରେ ରାହୁଲ ଗାନ୍ଧୀ ଆଉ ‘ପପୁ’ ବା ‘ଯୁବରାଜ’ ହୋଇ ମଧ୍ୟ ରହିନାହାନ୍ତି। ଶୁଭ୍ର ଟି-ଶାର୍ଟରେ ଅର୍ଦ୍ଧପକ୍ୱ ବର୍ଦ୍ଧିତ ଶ୍ମଶ୍ରୁ ରାହୁଲଙ୍କୁ ଆମ୍‌ ଆଦ୍‌ମୀରେ ପରିଣତ କରିପାରିଛି। ୨୦୨୨ ମସିହା ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀଠାରୁ ଏହି ଯାତ୍ରା ଶୁଭାରମ୍ଭ ହୋଇ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା। ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ୩୫୭୦ କିଲୋମିଟର ଅତିକ୍ରମ କରିବା ସହ ପଦଯାତ୍ରୀ ଚାଲିଥିଲେ ୧୫୦ ଦିନ। ବହୁ ବର୍ଣ୍ଣ ଓ ବହୁ ଭାଷାଭାଷୀ ରାଷ୍ଟ୍ର ଭାରତବର୍ଷ ସମ୍ପର୍କରେ ଏହି ପଦଯାତ୍ରା ସମୟରେ ରାହୁଲ ଅନେକ ଅନୁଭୂତି ହାସଲ କରିଥିବା ସ୍ବୀକାର କରିଥିଲେ। ଯାତ୍ରା ସମୟରେ ବିଭିନ୍ନ ବର୍ଗ ଜନସାଧାରଣଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କ ସହ ମତ ବିନିମୟ କରିଥିଲେ। ବିଭିନ୍ନ ସ୍ଥାନରେ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଦେଶ ଓ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଯାତ୍ରାକୁ ନେଇ ପ୍ରଥମରୁ ଭାରତୀୟ ଜନତା ପାର୍ଟି ଯେଉଁ ଚିତ୍ର ସୃଷ୍ଟି କରିବାକୁ ଚାହୁଁଥିଲା ତାହା ସଫଳ ହୋଇପାରିଲା ନାହିଁ। ପ୍ରଥମରୁ ରାହୁଲଙ୍କ ଟି-ଶାର୍ଟର ମୂଲ୍ୟକୁ ନେଇ ଭାଜପା ଏକ ନକାରାତ୍ମକ ଛବି ସୃଷ୍ଟି କରିବାକୁ ଚାହିଁଲା। ରାହୁଲ ୪୧,୦୦୦ ଟଙ୍କା ମୂଲ୍ୟର ବରବେରୀ ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ବୋଲି ଦଳ ପକ୍ଷରୁ କୁହାଗଲା। ବିଦେଶୀ ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ୍‌ ଶାହା କହିଲେ। ଏହା ବିରୋଧରେ ସାମାଜିକ ଗଣମାଧ୍ୟମରେ ପ୍ରବଳ ଟ୍ରୋଲ ହେଲା। ପ୍ରଧାନମନ୍ତ୍ରୀଙ୍କ ପୋଷାକ ଓ ଚଷମାର ଦର କଥା ମଧ୍ୟ ଉଠିଲା। ଫଳରେ ଭାଜପା ତତ୍‌କ୍ଷଣାତ୍‌ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲା। ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମଧ୍ୟ ଏହି ଯାତ୍ରାରେ ସାମିଲ ହେଲେ। ରାହୁଲଙ୍କ ଶ୍ମଶ୍ରୁ ଦେଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସଦ୍ଦାମଙ୍କ ପରି ରାହୁଲ ଦେଖାଯାଉଥିବା କହିଲେ। ଶର୍ମା ୨୦୧୫ ମସିହାରେ କଂଗ୍ରେସ ପରିତ୍ୟାଗ କରି ଭାଜପାରେ ସାମିଲ ହୋଇଥିଲେ। କର୍ନାଟକ ଯାତ୍ରା କାଳରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର କେ. ସୁଧାକର ଭାରତ ଯୋଡ଼ୋ ଯାତ୍ରାକୁ ଦିଶାହୀନ ବୋଲି ବର୍ଣ୍ଣନା କଲେ। ସୁଧାକର ୨୦୧୯ ମସିହାରେ କଂଗ୍ରେସର କିଛି ନେତାଙ୍କ ସହ ଦଳତ୍ୟାଗ କରି ଭାଜପାରେ ସାମିଲ ହୋଇଥିଲେ। ଏଣୁ ଦଳତ୍ୟାଗୀଙ୍କ ଏ ପ୍ରକାର ବ୍ୟକ୍ତିଗତ ଆକ୍ଷେପ ସାଧାରଣରେ ଗ୍ରହଣୀୟ ହୋଇପାରିଲା ନାହିଁ। ଭାଜପାର ବିଭିନ୍ନ ମନ୍ତବ୍ୟ ସତ୍ତ୍ୱେ ରାହୁଳ ଯାତ୍ରାକାଳରେ ପ୍ରତିକ୍ରିୟାଶୀଳ ହୋଇନଥିବା ଦେଖାଯାଇଥିଲା। ଯେଉଁ ଲକ୍ଷ୍ୟ ନେଇ ସେ ଏହି ଯାତ୍ରା ଆରମ୍ଭ କରିଥିଲେ, ତାହା ହାସଲ କରିବା ନିମନ୍ତେ ସେ ନିର୍ଲିପ୍ତ ଭାବେ ଚାଲିଥିବା ଦେଖାଯାଇଥିଲା। ଏପରିକି ବିଧାନସଭା ନିର୍ବାଚନ ହେଉଥିବା ହିମାଚଳ ପ୍ରଦେଶ ଓ ଗୁଜରାଟ ପ୍ରତି ସେ ଦୃଷ୍ଟି ଦେଇନଥିଲେ। ଯାତ୍ରା କାଳରେ ରାହୁଲ ବିଶେଷ ରାଜନୈତିକ ମନ୍ତବ୍ୟ ପ୍ରଦାନ କରିନଥିଲେ। କେବଳ ମହାରାଷ୍ଟ୍ରରେ ଭୀର ସଭରକରଙ୍କ ପ୍ରତି ରାହୁଲଙ୍କ କିଛି ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ତେବେ ପରବର୍ତ୍ତୀ ସମୟରେ ରାହୁଲ ନିଜେ ଏହି ବିବାଦର ସମାଧାନ କରିପାରିଥିଲେ। ଏହା ଏକପ୍ରକାର ତାଙ୍କ ରାଜନୈତିକ ପରିପକ୍ୱତାକୁ ସୂଚିତ କରିଥିଲା। ଦେଶରେ କର୍ମନିଯୁକ୍ତି ଅଭାବ, ଦରଦାମ ବୃଦ୍ଧି, ସାମାଜିକ ବିଭାଜନକରଣ, ଧାର୍ମିକ ବିଭେଦ, ଗଣତନ୍ତ୍ର ପ୍ରତି ବିପଦ, କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଅନେକାଂଶରେ ରାହୁଲ ସଫଳ ହୋଇଥିଲେ। ଏହା ଯେ ଭୋଟ ଆକାରରେ ରୂପାନ୍ତରିତ ହୋଇ ସର୍ବଦା ଦଳର ନିର୍ବାଚନ ବିଜୟରେ ସହାୟକ ହେବ ତାହା କୁହାଯାଇନପାରେ। କିନ୍ତୁ ଏହା ଯେ ଦେଶର ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ନିଷ୍କ୍ରିୟତା ଭାଙ୍ଗିବାରେ ସହାୟତା ହୋଇଛି, ତାହା କର୍ନାଟକ ସଫଳତାରୁ ଜଣାପଡ଼ୁଛି। ଏହି ଯାତ୍ରାରୁ ଲବ୍‌ଧ ଅନୁଭୂତି ଓ ଆତ୍ମବିଶ୍ୱାସ ଏବେ କର୍ନାଟକ ବିଧାନସଭାରେ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଥିବା କୁହାଯାଇପାରେ। ଏ ପ୍ରକାର ଏକ ପଦଯାତ୍ରା ୧୯୮୩ରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର କରିଥିଲେ। ତାହା ଥିଲା କନ୍ୟାକୁମାରୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ଏହି ଯାତ୍ରା କାଳରେ ସେ କହିଥିଲେ, ‘ତ୍ରାଣକର୍ତ୍ତା ଭାବେ ମୁଁ ଏଠାକୁ ଆସିନାହିଁ, ଭାରତର ସମସ୍ୟା ଓ ଅଜଣା ଦିଗକୁ ଜାଣିବା ପାଇଁ ମୁଁ ଏହି ପଦଯାତ୍ରା ଆରମ୍ଭ କରିଛି।’
ସେହିପରି ଅନ୍ୟ ଦିଗରୁ ଦେଖିଲେ ଗାନ୍ଧୀ ପରିବାର ହାତରେ ଏବେ କଂଗ୍ରେସର ଡୋର ନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇବା ପରେ ସୋନିଆ ଗାନ୍ଧୀ ଏଥିରୁ ଅବ୍ୟାହତି ନେଇଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ କଂଗ୍ରେସର ଯୁଆଳି ପଡ଼ିଛି ମଲ୍ଲିକାର୍ଜୁନ ଖାର୍ଗେଙ୍କ କାନ୍ଧରେ। ମଲ୍ଲିକାର୍ଜୁନ ଜଣେ ଅଭିଜ୍ଞ ରାଜନେତା। ଦଳିତ ବର୍ଗର ଜଣେ ସଂଭ୍ରମ ତଥା ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନେତା ଭାବେ ସେ ପରିଚିତ। କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କର୍ନାଟକ ବିଧାନସଭା ନିର୍ବାଚନର ମଙ୍ଗ ସେ ଧରିଥିଲେ। ଏଥିରୁ ସୁଫଳ ମଧ୍ୟ ମିଳିଲା। ଏହି ପରିିପ୍ରେକ୍ଷୀରେ କହିବାକୁ ଗଲେ କଂଗ୍ରେସ ବିରୋଧରେ ଏବେ ଆଉ ବଂଶବାଦ ଅଭିଯୋଗ ନାହିଁ। ଏଣୁ ଆଗାମୀ ନିର୍ବାଚନ ନିମନ୍ତେ କଂଗ୍ରେସ ବିପକ୍ଷରେ ଭାରତୀୟ ଜନତା ପାର୍ଟିକୁ ନୂଆ ନିର୍ବାଚନୀ ଟ୍ୟାଗ୍‌ଲାଇନ ଖୋଜିବାକୁ ପଡ଼ିବ। ଆଗାମୀ ଦିନରେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ, ସେଥିରେ ମଧ୍ୟପ୍ରଦେଶର ୨୩୦, ରାଜସ୍ଥାନର ୨୦୦, ଛତିଶଗଡ଼ର ୯୦ଟି ଓ ତେଲଙ୍ଗାନାର ୧୧୯ଟି ଆସନ ରହିଛି। ଏହି ରାଜ୍ୟଗୁଡ଼ିକର ଲୋକ ସଭା ଆସନ ସଂଖ୍ୟା ଯଥାକ୍ରମେ ୨୯, ୨୫, ୧୧ ଓ ୧୭। ତେବେ ବିଧାନସଭା ନିର୍ବାଚନର ସଫଳତା ଯେ ଲୋକ ସଭା ନିର୍ବାଚନକୁ ପ୍ରଭାବିତ କରିବ, ତାହାର ମଧ୍ୟ କୌଣସି ନିଶ୍ଚିତତା ନ ଥାଏ। ବିଧାନସଭା ନିର୍ବାଚନ ସାଧାରଣତଃ ଆଞ୍ଚଳିକ ସମସ୍ୟାକୁ ନେଇ ଲଢ଼ା ଯାଇଥାଏ ଓ ଲୋକ ସଭା ନିର୍ବାଚନରେ ଜାତୀୟ ସମସ୍ୟା ପ୍ରତିଫଳିତ ହୋଇଥାଏ। ତେବେ କର୍ନାଟକ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବ୍ୟାପକ ପ୍ରଚାର ଅଭିଯାନ ଦଳକୁ ବିଶେଷ ସୁଫଳ ଦେଇପାରି ନ ଥିବାରୁ କେନ୍ଦ୍ରୀୟ ନୀତି ପ୍ରତି ଜନ ଆକ୍ରୋଶ ରହିଥିବା ଅନୁମେୟ।
ମୋ: ୯୪୩୭୨୨୯୨୩୩