Categories: ଜାତୀୟ

ସାଙ୍କେତିକ ଭାଷା ଅଭିଧାନ, ଅଡିଓ ବୁକ୍‌ସ ଶୁଭାରମ୍ଭ

ନୂଆଦିଲ୍ଲୀ, ୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ‘ଶିକ୍ଷକ ପର୍ବ-୨୦୨୧’ ଉଦ୍‌ଘାଟନୀ ସମ୍ମିଳନୀରେ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଏବଂ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟାକୁ କ୍ରମାଗତ ଆଧୁନିକୀକରଣ କରାଯିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିକ୍ଷକ ପର୍ବ ସମ୍ମିଳନୀ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାଙ୍କେତିକ ଭାଷା ଅଭିଧାନ (ଶିକ୍ଷଣର ୟୁନିଭର୍ସାଲ ଡିଜାଇନ୍‌ ଅନୁସାରେ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ଶ୍ରାବ୍ୟ ଓ ଲେଖା ଥିବା ସାଙ୍କେତିକ ଭାଷାର ଭିଡିଓ), ଦୃଷ୍ଟିବାଧିତଙ୍କ ପାଇଁ ଅଡିଓ ବୁକ୍‌ସ, ସିବିଏସ୍‌ଇ ସ୍କୁଲର ଗୁଣବତ୍ତା ନିଶ୍ଚିତତା ଏବଂ ମୂଲ୍ୟାଙ୍କନ ଢାଞ୍ଚା, ନିପୁଣ ଭାରତ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲ ଶିକ୍ଷକଙ୍କ ନିମନ୍ତେ ନିଷ୍ଠା ଟ୍ରେନିଂ ପ୍ରୋଗ୍ରାମ ଆଦି ଶୁଭାରମ୍ଭ କରିଛନ୍ତି। ୧୦୦ ବର୍ଷ ପରେ ଭାରତର ନୂଆ ରୂପରେଖ ପାଇଁ ସଂକଳ୍ପ ନେବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ।
ନୂତନ ଶିକ୍ଷା ନୀତି ପ୍ରଣୟନଠାରୁ ପ୍ରଚଳନ ପର୍ଯ୍ୟନ୍ତ ଶିକ୍ଷାବିତ୍‌, ଶିକ୍ଷକ, ବିଶେଷଜ୍ଞ ପ୍ରମୁଖଙ୍କ ବହୁ ଅବଦାନ ରହିଛି। ଦେଶରେ ଏବେ ପରିବର୍ତ୍ତନର ପରିବେଶ ରହିଛି। ଏବେ ସମାଜ ଏଥିରେ ସାମିଲ ହୋଇ ଏହି ସହଭାଗିତାକୁ ଆଗକୁ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Share