ଡେଟ୍ରୋୟଟ,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ପ୍ରଭାବ ଅନେକ ଦେଶରେ ଦେଖିବାକୁ ମିଳୁଛି। ତେବେ ଏହାର ପ୍ରଭାବ ଆମେରିକାର ମିଚିଗାନ ରାଜ୍ୟର ବୃହତ୍ତମ ସହର ଡେଟ୍ରୋୟଟରେ ଘଟିଥିବା ଲେମହର୍ଷଣକାରୀ ଘଟଣାରେ ଦେଖିବାକୁ ମିଳିଛି। ଡେଟ୍ରୋୟଟର ସାୟନାଗୋଗୁଇ(ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳ)ର ଅଧ୍ୟକ୍ଷ ଜଣେ ଇହୁଦୀ ମହିଳା ନେତାଙ୍କୁ ହତ୍ୟା କରାଯାଇଛି।
ଏହି ମହିଳା ଜଣକ ହେଉଛନ୍ତି ସାମନ୍ଥା ଓ୍ବଲ। ତାଙ୍କୁ ତାଙ୍କ ଘର ବାହାରେ ଛୁରୀ ଭୁସି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ପୋଲିସ କହିଛି। ଅଦ୍ୟାବଧି ପୋଲିସ ଏହି ହତ୍ୟାକାଣ୍ଡର କାରଣ ଜାଣିପାରି ନାହିଁ। ଜରୁରୀକାଳୀନ ଟିମ୍ ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି।
ପୋଲିସ ଅଧିକାରୀମାନେ ରକ୍ତ ଛିଟା ଦେଖି ସାମନ୍ଥାଙ୍କ ବାସଭବନକୁ ଯାଇଥିଲେ। ତାଙ୍କ ଘର ବାହାରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ୪୦ବର୍ଷିୟ ସାମନ୍ଥା ୨୦୨୨ରୁ ସାୟନାଗୋଗୁଇର ଅଧ୍ୟକ୍ଷ ଥିଲେ। ସାମନ୍ଥା ଜଣେ ଇହୁଦୀ ଥିବାରୁ ତାଙ୍କ ମୃତ୍ୟୁକୁ ଇସ୍ରାଏଲ-ହମାସ ଯୁଦ୍ଧ ସହ ଜଡିତ କରାଯାଉଛି।କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନାହିଁ।