ସିରିଆ: ସଙ୍କଟ ସହ ଆହ୍ବାନ

ମଧ୍ୟପ୍ରାଚ୍ୟର ଅନ୍ୟତମ ରାଷ୍ଟ୍ର ସିରିଆରେ ଏକଚ୍ଛତ୍ରବାଦକୁ ଦୀର୍ଘବର୍ଷ ଧରି ହେଉଥିବା ବିରୋଧର ଶେଷ ପର୍ଯ୍ୟାୟରେ ବିଦ୍ରୋହୀ ପହଞ୍ଚିବା ପରେ ସେଠାରେ ଅନେକ ନୂଆ ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ, ୮ ଡିସେମ୍ବରରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ ବିଦ୍ରୋହୀଙ୍କୁ ମୁକାବିଲା କରିବାରେ ଅସଫଳ ହେବାରୁ ଦେଶ ଛାଡ଼ି କୌଣସି ଏକ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି। ଆଉ କେତେକ ସୂତ୍ରରୁ କୁହାଯାଉଛି ଯେ, ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହା କେଉଁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ, ଯେଉଁଥିପାଇଁ ରାଡାରରେ କିଛି ଦୃଶ୍ୟମାନ ହେଉ ନାହିଁ। ରାଜଧାନୀ ଡମାସ୍‌କସ୍‌ ଛାଡ଼ିବା ବେଳେ ତାଙ୍କ ବିମାନକୁ ସମ୍ଭବତଃ ଗୁଳି କରି ଖସାଇ ଦିଆଯାଇଥିବା ନେଇ ସନ୍ଦେହ ଉପୁଜିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ସଶସ୍ତ୍ର ବିଦ୍ରୋହୀମାନେ ବଶରଙ୍କ ବିମାନକୁ ଖସାଇ ଦେବା ପରେ ତାଙ୍କ ମୃତ୍ୟୁ ଘଟିଥାଇପାରେ। ମୋଟାମୋଟି ଚିତ୍ର ଦେଖିଲେ ବଶର ସିରିଆ ରାଜନୈତିକ ଦୃଶ୍ୟପଟରୁ ହଟିଯାଇଛନ୍ତି ବୋଲି ବିଦ୍ରୋହୀ ଦାବି କରିଛନ୍ତି। ବିଦ୍ରୋହୀଙ୍କ ସହ ସିରିଆର ସାଧାରଣ ନାଗରିକ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ସେଠାକାର ସରକାରୀ ଟେଲିଭିଜନରେ ଏଭଳି ପରିବର୍ତ୍ତନକୁ ସିରିଆ ବିପ୍ଳବର ବିଜୟ ଘଟିବା ସହ ଅପରାଧୀ ବଶର ଶାସନର ପତନ ଘଟିଛି ବୋଲି ଖବର ପ୍ରସାରିତ ହୋଇଛି। ଉଲ୍ଲେଖଯୋଗ୍ୟ, ବଶରଙ୍କ ବିରୋଧରେ ୨୦୧୧ରେ ବଡ଼ ଧରଣର ବିଦ୍ରୋହ ସୃଷ୍ଟି ହୋଇ ତାହା ଗୃହଯୁଦ୍ଧରେ ପରିଣତ ହୋଇଥିଲା। ତେବେ ୨୭ ନଭେମ୍ବର ୨୦୨୪ରେ ବିଦ୍ରୋହୀମାନେ ସମସ୍ତ ଶକ୍ତି ଠୁଳ କରି ବଶରଙ୍କୁ ହଟାଇବାରେ ଲାଗିପଡ଼ିଥିଲେ। ଆଲେପ୍ପୋ ସହର ଦଖଲ ପରେ ସେମାନେ ଗୋଟିଏ ପରେ ଗୋଟିଏ ବଡ଼ ସହର ଯଥା ହମା, ହମ୍ସ, ୨୦୧୧ ଗୃହଯୁଦ୍ଧର ଉତ୍ପତ୍ତିସ୍ଥଳ ଥିବା ଦାରା ଏବଂ ଶେଷରେ ରାଜଧାନୀ ଡମାସ୍‌କସ୍‌କୁ ନିଜ ଅକ୍ତିଆରକୁ ଆଣିବା ପରେ ଅନନ୍ୟୋପାୟ ହୋଇ ବଶର ଦେଶଛାଡ଼ିବାକୁ ବାଧ୍ୟ ହୋଇଥିବା ଅନୁମାନ କରାଯାଉଛି।
ସିରିଆରେ ବଶର ଅଲ୍‌-ଅସାଦ ୨୦୦୦ ମସିହାରୁ ଦେଶର ରାଷ୍ଟ୍ରପତି ରହିଆସିଥିବା ବେଳେ ତାଙ୍କ ପିତା ହାଫିଜ୍‌ ଅଲ୍‌-ଅସାଦ ୧୯୭୧ରୁ ୨୦୦୦ ତାଙ୍କ ପରଲୋକ ଯାଏ ଶାସନ କରିଥିଲେ। ଅର୍ଥାତ୍‌ ପିତା-ପୁତ୍ର ଦୀର୍ଘ ୫୩ ବର୍ଷ ଧରି ସିରିଆକୁ ଅକ୍ତିଆରରେ ରଖିଥିଲେ। ଏହି ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ଯେତେବେଳେ ସ୍ବର ଉଠିଛି, ସେନା ଜରିଆରେ ବିଦ୍ରୋହକୁ ଦମନ କରାଯାଇଆସୁଥିଲା। ଅନେକଙ୍କୁ ଅଟକ ରଖାଯାଇ ନିର୍ଯାତନା ଦିଆଯାଇଥିବାରୁ ବଶର ସରକାରଙ୍କ ବିରୋଧରେ ମାନବ ଅଧିକାର ସଙ୍ଗଠନ ସ୍ବର ଉଠାଇ ଆସୁଥିଲେ। ହେଲେ ୨୦୨୪ ଡିସେମ୍ବର ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ଅସାଦ ଶାସନର ପତନ ଘଟାଇଲା ବୋଲି କୁହାଯାଉଛି। ତେବେ ଏହି ପରିବର୍ତ୍ତନ ପଛରେ ଯାହାଙ୍କ ହାତ ସର୍ବାଧିକ ରହିଆସିଛି ସେ ହେଲେ ଅବୁ ମହମ୍ମଦ ଅଲ୍‌-ଜୁଲାନି। ୧୯୮୨ରେ ଡମାସ୍‌କସ୍‌ରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ଜୁଲାନି ୨୦୦୧ର ୯/୧୧ ଘଟଣା ପରେ ଆକ୍ରମଣକାରୀଙ୍କ କାର୍ଯ୍ୟରେ ଅନୁପ୍ରେରିତ ହୋଇ ଇରାନ୍‌ରେ ଅଲ୍‌-କାଏଦାରେ ଯୋଗ ଦେଇଥିଲେ। ୨୦୧୬ରେ ସେ ଅଲ୍‌-କାଏଦା ସହ ସମ୍ପର୍କ ଛିନ୍ନ କରି ନିଜକୁ ଜଣେ ମଧ୍ୟମପନ୍ଥୀ ନେତା ଭାବେ ପ୍ରଦର୍ଶନ କରିଥିଲେ। ତାଙ୍କ ସଙ୍ଗଠନ ହାୟାତ ତାହରିର୍‌ ଅଲ୍‌-ଶାମ୍‌(ଏଚ୍‌ଟିଏସ୍‌)କୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ଅନେକ ସମୀକ୍ଷକ ଆତଙ୍କବାଦୀ ସଙ୍ଗଠନ ଭାବେ ବର୍ଗୀକରଣ କରିଛନ୍ତିି। କିନ୍ତୁ ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ କରିବା ତାଙ୍କର ଅଭିପ୍ରାୟ ନାହିଁ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସେ ସାକ୍ଷାତ୍‌କାର ଦେଇ କହିଆସିଛନ୍ତି। କିଛି ବର୍ଷ ହେବ ବଶର ସରକାରକୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଜୁଲାନି ଅନବରତ କାର୍ଯ୍ୟ କରି ଆସୁଥିବାରୁ ଏବର ସଫଳତା ସିରିଆକୁ ‘ଅସାଦ ଶାସନରୁ ମୁକ୍ତ’ କରାଇପାରିଲା ବୋଲି ତାଙ୍କ ସଙ୍ଗଠନ ପକ୍ଷରୁ କୁହାଯାଇଛି।
ବଶରଙ୍କ ଶାସନର ପତନ ପରେ କିଏ ସେଠାରେ ଦାୟିତ୍ୱ ନେବେ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କଲାଣି। ଜୁଲାନି ଏବେ ନିଜକୁ ମଧ୍ୟମପନ୍ଥୀ ନେତା ଭାବେ ପ୍ରଦର୍ଶିତ କରୁଥିଲେ ହେଁ ତାଙ୍କ ମୂଳ ଚେହେରା ବସ୍ତୁତଃ ଆତଙ୍କବାଦ ସହ ଜଡ଼ିତ ଥିଲା। ତେଣୁ ସେ ସିରିଆକୁ ଶାନ୍ତିପୂର୍ଣ୍ଣ ଓ କୂଟନୈତିକ ସ୍ତରରେ ଶାସନ କରିବା ନେଇ ଆଶଙ୍କା ଉପୁଜିବା ସ୍ବାଭାବିକ। ସିରିଆ ସହ ରୁଷିଆର ରଣନୀତିକ ସମ୍ପର୍କ ରହିଆସିଥିଲା। ବର୍ତ୍ତମାନ ଯେଉଁ ପରିବର୍ତ୍ତନ ଘଟିଲା ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିରିଆ କଥାରେ ମୁଣ୍ଡ ପୂରାଇବାକୁ ଚାହିଁବେ ନାହିଁ ବୋଲି କୁହାଯାଉଛି। ସମାନ ଭାବେ ବଶରଙ୍କୁ ଇରାନ୍‌ ସରକାର ବିଭିନ୍ନ ପ୍ରକାର ସହଯୋଗ କରି ଆସୁଥିଲା। କ୍ଷମତା ହସ୍ତାନ୍ତର ପରେ ସିରିଆ ଉପରେ ଇରାନ୍‌ର ପ୍ରଭାବ ହ୍ରାସ ପାଇପାରେ। ସେହିପରି ବଶରଙ୍କ ପତନ ପରେ ଇସ୍ରାଏଲ ପାଇଁ ଏହି ସ୍ଥିତି ଉଭୟ ସୁଯୋଗ କିମ୍ବା ବିପଦ ସୃଷ୍ଟି କରିପାରେ। ଗୋଟିଏ ପଟେ ସିରିଆ ଉପରେ ଇରାନ୍‌ର ହାକିମାତି କମିଲେ ତାହା ଇସ୍ରାଏଲକୁ ସୁହାଇବ। ଅନ୍ୟପକ୍ଷରେ ସିରିଆରେ ନୂଆ ଶାସନ ଆସିଲେ ‘ଗୁଲାନ ହାଇଟ୍‌’କୁ ନେଇ କିଭଳି ପ୍ରତିକ୍ରିୟା ପ୍ରକାଶ ପାଇବ, ତାହା ଇସ୍ରାଏଲକୁ ଆଶଙ୍କା ଭିତରେ ରଖିଛି। ଉଲ୍ଲେଖଯୋଗ୍ୟ, ୧୯୬୭ ମିଡ୍‌ଇଷ୍ଟ ଯୁଦ୍ଧ ସମୟରୁ ସିରିଆଠାରୁ ଗୁଲାନ ହାଇଟ୍‌କୁ ଇସ୍ରାଏଲ ମାଡିବସି ନିଜର କରିନେଇଛି। ଏହିଭଳି ଭୂରାଜନୈତିକ ସ୍ଥିତିକୁ ସମୀକ୍ଷା କଲା ବେଳେ ସର୍ବାଗ୍ରେ ରହୁଛି ଦୀର୍ଘବର୍ଷ ଧରି ଏକଚ୍ଛତ୍ରବାଦ ଓ ଗୃହଯୁଦ୍ଧର ସାମ୍ନା କରିଥିବା ସିରିଆ ଭିତର ଓ ବାହାରେ ରହିଥିବା ଲୋକେ କିଭଳି ନ୍ୟାୟ ପାଇବେ। ଏକ ଅଶାନ୍ତ ଭୂଖଣ୍ଡରେ ବିଦେଶୀ ଶକ୍ତିଙ୍କ ସମ୍ପୃକ୍ତି ଓ ଦେଶ ଭିତରେ କ୍ଷମତା ଲାଗି ସଂଗ୍ରାମ ବର୍ତ୍ତମାନ ସିରିଆ ସଙ୍କଟକୁ ବଢ଼ାଇ ଦେଇଥିବା ବେଳେ ଆଗକୁ ଅନେକ ଆହ୍ବାନ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri