ମଧ୍ୟପ୍ରାଚ୍ୟର ଅନ୍ୟତମ ରାଷ୍ଟ୍ର ସିରିଆରେ ଏକଚ୍ଛତ୍ରବାଦକୁ ଦୀର୍ଘବର୍ଷ ଧରି ହେଉଥିବା ବିରୋଧର ଶେଷ ପର୍ଯ୍ୟାୟରେ ବିଦ୍ରୋହୀ ପହଞ୍ଚିବା ପରେ ସେଠାରେ ଅନେକ ନୂଆ ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ, ୮ ଡିସେମ୍ବରରେ ରାଷ୍ଟ୍ରପତି ବଶର ଅଲ୍-ଅସାଦ୍ ବିଦ୍ରୋହୀଙ୍କୁ ମୁକାବିଲା କରିବାରେ ଅସଫଳ ହେବାରୁ ଦେଶ ଛାଡ଼ି କୌଣସି ଏକ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି। ଆଉ କେତେକ ସୂତ୍ରରୁ କୁହାଯାଉଛି ଯେ, ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହା କେଉଁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ, ଯେଉଁଥିପାଇଁ ରାଡାରରେ କିଛି ଦୃଶ୍ୟମାନ ହେଉ ନାହିଁ। ରାଜଧାନୀ ଡମାସ୍କସ୍ ଛାଡ଼ିବା ବେଳେ ତାଙ୍କ ବିମାନକୁ ସମ୍ଭବତଃ ଗୁଳି କରି ଖସାଇ ଦିଆଯାଇଥିବା ନେଇ ସନ୍ଦେହ ଉପୁଜିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ସଶସ୍ତ୍ର ବିଦ୍ରୋହୀମାନେ ବଶରଙ୍କ ବିମାନକୁ ଖସାଇ ଦେବା ପରେ ତାଙ୍କ ମୃତ୍ୟୁ ଘଟିଥାଇପାରେ। ମୋଟାମୋଟି ଚିତ୍ର ଦେଖିଲେ ବଶର ସିରିଆ ରାଜନୈତିକ ଦୃଶ୍ୟପଟରୁ ହଟିଯାଇଛନ୍ତି ବୋଲି ବିଦ୍ରୋହୀ ଦାବି କରିଛନ୍ତି। ବିଦ୍ରୋହୀଙ୍କ ସହ ସିରିଆର ସାଧାରଣ ନାଗରିକ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ସେଠାକାର ସରକାରୀ ଟେଲିଭିଜନରେ ଏଭଳି ପରିବର୍ତ୍ତନକୁ ସିରିଆ ବିପ୍ଳବର ବିଜୟ ଘଟିବା ସହ ଅପରାଧୀ ବଶର ଶାସନର ପତନ ଘଟିଛି ବୋଲି ଖବର ପ୍ରସାରିତ ହୋଇଛି। ଉଲ୍ଲେଖଯୋଗ୍ୟ, ବଶରଙ୍କ ବିରୋଧରେ ୨୦୧୧ରେ ବଡ଼ ଧରଣର ବିଦ୍ରୋହ ସୃଷ୍ଟି ହୋଇ ତାହା ଗୃହଯୁଦ୍ଧରେ ପରିଣତ ହୋଇଥିଲା। ତେବେ ୨୭ ନଭେମ୍ବର ୨୦୨୪ରେ ବିଦ୍ରୋହୀମାନେ ସମସ୍ତ ଶକ୍ତି ଠୁଳ କରି ବଶରଙ୍କୁ ହଟାଇବାରେ ଲାଗିପଡ଼ିଥିଲେ। ଆଲେପ୍ପୋ ସହର ଦଖଲ ପରେ ସେମାନେ ଗୋଟିଏ ପରେ ଗୋଟିଏ ବଡ଼ ସହର ଯଥା ହମା, ହମ୍ସ, ୨୦୧୧ ଗୃହଯୁଦ୍ଧର ଉତ୍ପତ୍ତିସ୍ଥଳ ଥିବା ଦାରା ଏବଂ ଶେଷରେ ରାଜଧାନୀ ଡମାସ୍କସ୍କୁ ନିଜ ଅକ୍ତିଆରକୁ ଆଣିବା ପରେ ଅନନ୍ୟୋପାୟ ହୋଇ ବଶର ଦେଶଛାଡ଼ିବାକୁ ବାଧ୍ୟ ହୋଇଥିବା ଅନୁମାନ କରାଯାଉଛି।
ସିରିଆରେ ବଶର ଅଲ୍-ଅସାଦ ୨୦୦୦ ମସିହାରୁ ଦେଶର ରାଷ୍ଟ୍ରପତି ରହିଆସିଥିବା ବେଳେ ତାଙ୍କ ପିତା ହାଫିଜ୍ ଅଲ୍-ଅସାଦ ୧୯୭୧ରୁ ୨୦୦୦ ତାଙ୍କ ପରଲୋକ ଯାଏ ଶାସନ କରିଥିଲେ। ଅର୍ଥାତ୍ ପିତା-ପୁତ୍ର ଦୀର୍ଘ ୫୩ ବର୍ଷ ଧରି ସିରିଆକୁ ଅକ୍ତିଆରରେ ରଖିଥିଲେ। ଏହି ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ଯେତେବେଳେ ସ୍ବର ଉଠିଛି, ସେନା ଜରିଆରେ ବିଦ୍ରୋହକୁ ଦମନ କରାଯାଇଆସୁଥିଲା। ଅନେକଙ୍କୁ ଅଟକ ରଖାଯାଇ ନିର୍ଯାତନା ଦିଆଯାଇଥିବାରୁ ବଶର ସରକାରଙ୍କ ବିରୋଧରେ ମାନବ ଅଧିକାର ସଙ୍ଗଠନ ସ୍ବର ଉଠାଇ ଆସୁଥିଲେ। ହେଲେ ୨୦୨୪ ଡିସେମ୍ବର ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ଅସାଦ ଶାସନର ପତନ ଘଟାଇଲା ବୋଲି କୁହାଯାଉଛି। ତେବେ ଏହି ପରିବର୍ତ୍ତନ ପଛରେ ଯାହାଙ୍କ ହାତ ସର୍ବାଧିକ ରହିଆସିଛି ସେ ହେଲେ ଅବୁ ମହମ୍ମଦ ଅଲ୍-ଜୁଲାନି। ୧୯୮୨ରେ ଡମାସ୍କସ୍ରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ଜୁଲାନି ୨୦୦୧ର ୯/୧୧ ଘଟଣା ପରେ ଆକ୍ରମଣକାରୀଙ୍କ କାର୍ଯ୍ୟରେ ଅନୁପ୍ରେରିତ ହୋଇ ଇରାନ୍ରେ ଅଲ୍-କାଏଦାରେ ଯୋଗ ଦେଇଥିଲେ। ୨୦୧୬ରେ ସେ ଅଲ୍-କାଏଦା ସହ ସମ୍ପର୍କ ଛିନ୍ନ କରି ନିଜକୁ ଜଣେ ମଧ୍ୟମପନ୍ଥୀ ନେତା ଭାବେ ପ୍ରଦର୍ଶନ କରିଥିଲେ। ତାଙ୍କ ସଙ୍ଗଠନ ହାୟାତ ତାହରିର୍ ଅଲ୍-ଶାମ୍(ଏଚ୍ଟିଏସ୍)କୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ଅନେକ ସମୀକ୍ଷକ ଆତଙ୍କବାଦୀ ସଙ୍ଗଠନ ଭାବେ ବର୍ଗୀକରଣ କରିଛନ୍ତିି। କିନ୍ତୁ ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ କରିବା ତାଙ୍କର ଅଭିପ୍ରାୟ ନାହିଁ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସେ ସାକ୍ଷାତ୍କାର ଦେଇ କହିଆସିଛନ୍ତି। କିଛି ବର୍ଷ ହେବ ବଶର ସରକାରକୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଜୁଲାନି ଅନବରତ କାର୍ଯ୍ୟ କରି ଆସୁଥିବାରୁ ଏବର ସଫଳତା ସିରିଆକୁ ‘ଅସାଦ ଶାସନରୁ ମୁକ୍ତ’ କରାଇପାରିଲା ବୋଲି ତାଙ୍କ ସଙ୍ଗଠନ ପକ୍ଷରୁ କୁହାଯାଇଛି।
ବଶରଙ୍କ ଶାସନର ପତନ ପରେ କିଏ ସେଠାରେ ଦାୟିତ୍ୱ ନେବେ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କଲାଣି। ଜୁଲାନି ଏବେ ନିଜକୁ ମଧ୍ୟମପନ୍ଥୀ ନେତା ଭାବେ ପ୍ରଦର୍ଶିତ କରୁଥିଲେ ହେଁ ତାଙ୍କ ମୂଳ ଚେହେରା ବସ୍ତୁତଃ ଆତଙ୍କବାଦ ସହ ଜଡ଼ିତ ଥିଲା। ତେଣୁ ସେ ସିରିଆକୁ ଶାନ୍ତିପୂର୍ଣ୍ଣ ଓ କୂଟନୈତିକ ସ୍ତରରେ ଶାସନ କରିବା ନେଇ ଆଶଙ୍କା ଉପୁଜିବା ସ୍ବାଭାବିକ। ସିରିଆ ସହ ରୁଷିଆର ରଣନୀତିକ ସମ୍ପର୍କ ରହିଆସିଥିଲା। ବର୍ତ୍ତମାନ ଯେଉଁ ପରିବର୍ତ୍ତନ ଘଟିଲା ଓ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିରିଆ କଥାରେ ମୁଣ୍ଡ ପୂରାଇବାକୁ ଚାହିଁବେ ନାହିଁ ବୋଲି କୁହାଯାଉଛି। ସମାନ ଭାବେ ବଶରଙ୍କୁ ଇରାନ୍ ସରକାର ବିଭିନ୍ନ ପ୍ରକାର ସହଯୋଗ କରି ଆସୁଥିଲା। କ୍ଷମତା ହସ୍ତାନ୍ତର ପରେ ସିରିଆ ଉପରେ ଇରାନ୍ର ପ୍ରଭାବ ହ୍ରାସ ପାଇପାରେ। ସେହିପରି ବଶରଙ୍କ ପତନ ପରେ ଇସ୍ରାଏଲ ପାଇଁ ଏହି ସ୍ଥିତି ଉଭୟ ସୁଯୋଗ କିମ୍ବା ବିପଦ ସୃଷ୍ଟି କରିପାରେ। ଗୋଟିଏ ପଟେ ସିରିଆ ଉପରେ ଇରାନ୍ର ହାକିମାତି କମିଲେ ତାହା ଇସ୍ରାଏଲକୁ ସୁହାଇବ। ଅନ୍ୟପକ୍ଷରେ ସିରିଆରେ ନୂଆ ଶାସନ ଆସିଲେ ‘ଗୁଲାନ ହାଇଟ୍’କୁ ନେଇ କିଭଳି ପ୍ରତିକ୍ରିୟା ପ୍ରକାଶ ପାଇବ, ତାହା ଇସ୍ରାଏଲକୁ ଆଶଙ୍କା ଭିତରେ ରଖିଛି। ଉଲ୍ଲେଖଯୋଗ୍ୟ, ୧୯୬୭ ମିଡ୍ଇଷ୍ଟ ଯୁଦ୍ଧ ସମୟରୁ ସିରିଆଠାରୁ ଗୁଲାନ ହାଇଟ୍କୁ ଇସ୍ରାଏଲ ମାଡିବସି ନିଜର କରିନେଇଛି। ଏହିଭଳି ଭୂରାଜନୈତିକ ସ୍ଥିତିକୁ ସମୀକ୍ଷା କଲା ବେଳେ ସର୍ବାଗ୍ରେ ରହୁଛି ଦୀର୍ଘବର୍ଷ ଧରି ଏକଚ୍ଛତ୍ରବାଦ ଓ ଗୃହଯୁଦ୍ଧର ସାମ୍ନା କରିଥିବା ସିରିଆ ଭିତର ଓ ବାହାରେ ରହିଥିବା ଲୋକେ କିଭଳି ନ୍ୟାୟ ପାଇବେ। ଏକ ଅଶାନ୍ତ ଭୂଖଣ୍ଡରେ ବିଦେଶୀ ଶକ୍ତିଙ୍କ ସମ୍ପୃକ୍ତି ଓ ଦେଶ ଭିତରେ କ୍ଷମତା ଲାଗି ସଂଗ୍ରାମ ବର୍ତ୍ତମାନ ସିରିଆ ସଙ୍କଟକୁ ବଢ଼ାଇ ଦେଇଥିବା ବେଳେ ଆଗକୁ ଅନେକ ଆହ୍ବାନ ସୃଷ୍ଟି କରୁଛି।