ଇସ୍ତାନବୁଲ୍,୧୮ା୨: ଗତ ସପ୍ତାହର ଭୂକମ୍ପରୁ ବର୍ତ୍ତିଯାଇଥିବା ସିରିଆର ୫ ଜଣ ପିଲା ଓ ସେମାନଙ୍କ ମାଆବାପା ତୁର୍କୀର ଏକ ଘରେ ଆଶ୍ରୟ ନେଇଥିବାବେଳେ ଶୁକ୍ରବାର ସେଥିରେ ନିଆଁ ଲାଗିଯିବାରୁ ସେମାନେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତ ୬ ତାରିଖ ଭୂକମ୍ପରେ ତୁର୍କୀ ଓ ସିରିଆରେ ୪୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣପୂର୍ବ ତୁର୍କୀ ସହର ନୁର୍ଡାଗି ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଉକ୍ତ ପରିବାର ସେଠାରୁ କେନ୍ଦ୍ରୀୟ ଅଞ୍ଚଳରେ ଥିବା କୋନ୍ୟାକୁ ପଳାଇଥିଲେ। ଉକ୍ତ ଘରୁ ଝରକା ଦେଇ ଜଣେ ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉପରୋକ୍ତ ଶିଶୁ ଓ ସେମାନଙ୍କ ମାଆବାପାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ମୃତ ଶିଶୁମାନଙ୍କ ବୟସ ୪ରୁ ୧୩ ବର୍ଷ ମଧ୍ୟରେ।