ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ, ସତର୍କ ସୂଚନା ଜାରି…

ବାର୍ସିଲୋନା, ୩।୮ : ସ୍ପେନରେ, ସମ୍ପ୍ରତିି ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପ୍ରକାର ଆକ୍ରମଣ ପ୍ରାୟତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟୁଛି। ବ୍ରିଟେନ ଏବଂ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଘଟିଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ସିରିଞ୍ଜ ଆକ୍ରମଣର ତଦନ୍ତ ସ୍ପେନ ପୋଲିସ ପକ୍ଷରୁ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଆକ୍ରମଣ ବିଷୟରେ ଅନେକ ଲୋକ ଲେଖୁଛନ୍ତି। ଏହାଯୋଗୁ ଲୋକ ଭିଡ଼ରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି।

ଆଶଙ୍କା କରାଯାଉଛି ଯେ ଆକ୍ରମଣକାରୀ ମହିଳାଙ୍କୁ ସିରିଞ୍ଜରେ ନାର୍କୋଟିକ୍ସ ମିଶ୍ରଣ କରି ଯୌନ ନିର୍ଯାତନା ଦେବାର ଷଡ଼ଯନ୍ତ୍ର କରୁଛନ୍ତି। ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ, ଏପର୍ଯ୍ୟନ୍ତ ଡ୍ରଗ କିମ୍ବା ଅନ୍ୟ ବିଷାକ୍ତ ଦ୍ରବ୍ୟର କୌଣସି ଚିହ୍ନ ମିଳିନାହିଁ। ଏହା ସହିତ ସିରିଞ୍ଜ ଆକ୍ରମଣ ପରେ ଯୌନ ହିଂସା ମାମଲା ମଧ୍ୟ ରୁଜୁ ହୋଇନାହିଁ।

ଗତ କିଛି ସପ୍ତାହ ମଧ୍ୟରେ ପୋଲିସ କାଟାଲୋନିଆରେ ଏଭଳି ୨୩ ଟି ସିରିଞ୍ଜ ଆକ୍ରମଣ ମାମଲା ରୁଜୁ କରିଛି। ସେଥି ମଧ୍ୟରୁ ଅଧିକାଂଶ ଲୋରେଟ ଡି ମାର୍‌, ବାର୍ସିଲୋନା ଏବଂ ବାସ୍କ ଦେଶର ୧୨ ଟି ପର୍ଯ୍ୟଟନ କେନ୍ଦ୍ରରେ ରେକର୍ଡ କରାଯାଇଛି । ବାସ୍କ ପୋଲିସର କହିବାନୁସାରେ, ଆକ୍ରମଣକାରୀମାନେ ଅଧିକାଂଶ ଯୁବତୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି। ଆକ୍ରମଣ ଶୈଳୀ ପ୍ରାୟ ସମାନ। ସାଧାରଣତଃ ଜଣେ ଯୁବତୀ ପାର୍ଟିରୁ ବାହାରକୁ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଉଛି। ଆକ୍ରମଣରେ, ସରିଞ୍ଜିକୁ ବାହୁ କିମ୍ବା ଗୋଡରେ ଫୋଡ଼ା ଯାଉଛି। ଏହାପରେ ମୁଣ୍ଡ ବୁଲାଇବା ସହିତ ନିଦ୍ରା ମାଡୁଛି। ଏଭଳି ଆକ୍ରମଣକାରୀଙ୍କୁ ଚିହ୍ନିବା କଷ୍ଟକର ହେଉଛି।

ପୋଲିସ ଲୋକଙ୍କୁ ନିବେଦନ କରିଛି ଯେ ଯେଉଁମାନେ ନିଜକୁ ଟାର୍ଗେଟ କରିଛନ୍ତି ବୋଲି ଅନୁଭବ କରୁଛନ୍ତି, ସେମାନେ ଯଥାଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଉଚିତ। ଏହା ସହିତ ଘଟଣା ପୋଲିସକୁ ଜଣାଇବା ଜରୁରୀ। ୨୦୨୧ରେ ବ୍ରିଟେନରେ ଏଭଳି କେତେକ ମାମଲା ଘଟିଥିବାବେଳେ ଚଳିତ ବର୍ଷ ଫ୍ରାନ୍ସରେ ସରିଞ୍ଜ୍‌ ଆକ୍ରମଣ ମାମଲା ରୁଜୁ ହୋଇଛି।

Share