ସମବାୟ ବ୍ୟାଙ୍କ ସଭାପତି ପଦବୀରୁ ହଟିଲେ ଟି ପ୍ରସାଦ ରାଓ ଦୋରା

ଭୁବନେଶ୍ୱର,୧୩।୮(ଅନିଲଦାସ): ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଭୁକଲ୍ୟାଣ ପଟ୍ଟନାୟକ ଅଗଷ୍ଟ ୯ ତାରିଖରେ ଦୋରାଙ୍କୁ ଚିଠି ଲେଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅବଗତ କରାଇଛନ୍ତି।
୨୦୨୪ ଜୁଲାଇ ୩୧ରେ ସମବାୟ ରେଜିଷ୍ଟ୍ରାର ଦୋରା ସଭାପତି ଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଥିଲେ। ସେହିପରି ରାଜ୍ୟ ସମବାୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୋରାଙ୍କ ବିରୋଧରେ ଅର୍ଥ ତୋସାରପାତ ଅଭିଯୋଗର ପ୍ରମାଣ ମିଳି ସାରିଥିବାରୁ ସମ୍ପୃକ୍ତ ଅର୍ଥକୁ ତାଙ୍କଠୁ ଆଦାୟ ନିମନ୍ତେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ଅର୍ଥ ତୋସାରପାତ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ସୁପାରିସ କରାଯିବ । ଯେହେତୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିଲମ୍ବନ ସହ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରି ପଦବୀରୁ ହଟାଯାଇଛି, ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟ ସମବାୟର ଶୀର୍ଷ ବ୍ୟାଙ୍କ ଭାବେ ପରିଚିତ ‘ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ’ର ପରିଚାଳନା କମିଟିକୁ ଦୋରା ୨୦୨୩ରେ ନିର୍ବାଚିତ ହୋଇଥିଲେ ।
ବିଜେଡିର ପ୍ରତିନିଧି ଭାବେ ସମବାୟ ବ୍ୟାଙ୍କ ସଭାପତି ପଦ ହାତେଇବାରେ ମଧ୍ୟ ସକ୍ଷମ ହୋଇଥିଲେ। ତେବେ ଗତ ମେ’ ରେ ନାବାର୍ଡ କର୍ତ୍ତୃପକ୍ଷଙ୍କ ଖୋଳତାଡ଼ ପରେ ଦୋରାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅର୍ଥ ତୋଷାରପାତ ଅଭିଯୋଗର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ଦୋରାଙ୍କ ବିରୋଧରେ ରହିଥିବା ଅଭିଯୋଗକୁ ସତ ବୋଲି ପ୍ରମାଣ ପାଇଥିଲେ । ଏହାକୁ ଆଧାର କରି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଗତ ଜୁଲାଇ ୩୧ତାରିଖରେ ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା ୨୬(୩-କ) ଅନୁଯାୟୀ ଦୋରାଙ୍କ ସଦସ୍ୟ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ । ଏଥିସହିତ ଉକ୍ତ ଦିନ ମଧ୍ୟ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ନିଲମ୍ବିତ କରିଥିଲେ । ବ୍ୟାଙ୍କ ସୁପରିଚାଳନା ପାଇଁ ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଥିଲେ ।

Share