Categories: ଜାତୀୟ

ଟି.ଏସ୍‌. ସିଂଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯ା୬: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏନେଇ ବୁଧବାର ବିଳମ୍ବିତ ରାତିରେ ଚିଠି ଇସ୍ୟୁ କରିଛନ୍ତି। ସିଂଦେଓଙ୍କୁ ଛତିଶଗଡ଼ ସରକାରରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରସ୍ତାବକୁ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅନୁମୋଦନ କରିଥିବା ଉକ୍ତ ଚିଠିରେ କୁହାଯାଇଛି। ସିଂଦେଓ ଜଣେ ଅନୁଗତ କଂଗ୍ରେସ ନେତା ଏବଂ ଦକ୍ଷ ପ୍ରଶାସକ। ଉପମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ସେବାରେ ରାଜ୍ୟ ଯଥେଷ୍ଟ ଉପକୃତ ହେବ ବୋଲି ବେଣୁଗୋପାଳ ଟୁଇଟ୍‌ କରିବା ସହ ଆଗାମୀ ନିର୍ବାଚନରେ ଛତିଶଗଡ଼ ଜନସାଧାରଣ କଂଗ୍ରେସକୁ ପୁଣିଥରେ ଜିତାଇବେ ବୋଲି ଦୃଢ଼ୋକ୍ତି କରିଛନ୍ତି।
ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବୁଧବାର କଂଗ୍ରେସର ଶୀର୍ଷନେତାମାନଙ୍କର ବୈଠକ ବସି ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ବଠକରେ ଖାର୍ଗେଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଛତିଶଗଡ଼ ଦାୟିତ୍ୱରେ ଥିବା ଦଳର ପ୍ରଭାରୀ କୁମାରୀ ସେଲ୍‌ଜା, କେ.ସି. ବେଣୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଦଳୀୟ କର୍ମୀମାନେ ଏକାଠି କାମ କରିବା ଆବଶ୍ୟକ ବୋଲି ଖାର୍ଗେ କହିଥିଲେ। ବୈଠକରେ ରାଜ୍ୟ କଂଗ୍ରେସ ସଭାପତି ମୋହନ ମର୍କାମ ଏବଂ ଟି.ଏସ୍‌. ସିଂଦେଓ ଉପସ୍ଥିତ ଥିଲେ।

Share