୧୮ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଝଡ଼ବର୍ଷା ଯୋଗୁ ପାରଦ ତଳମୁହାଁ ରହିଛି। ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ରହିଛି। ଏଥିଯୋଗୁ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ଗଜପତି, ରାୟଗଡ଼ା ଆଦି ଜିଲାରେ ଝଡ଼ବର୍ଷା ହେବାର ଆଶଙ୍କା ଅଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୧ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲାର କେତେକ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ୧୨ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୋଳ, ଢେଙ୍କାନାଳ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ବହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ତେବେ ଆସନ୍ତା ୧୩ ତାରିଖଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ ସର୍ବାଧିକ ୨୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୭.୪, କେନ୍ଦୁଝର ୧୩.୪, ତାଳଚେର ୮, ଭୁବନେଶ୍ୱର ୨.୧, ବାରିପଦା ୧୧.୬, ଝାରସୁଗୁଡ଼ା ୦.୩, ସୁନ୍ଦରଗଡ଼ ୩, ତାଳଚେର ୮, ସୋନପୁର ୨.୫, ଦାରିଙ୍ଗବାଡିରେ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ ରାଜ୍ୟରେ ତାତି କମିଛି। କେବଳ ସୁନ୍ଦରଗଡ଼କୁ ଛାଡିଦେଲେ ରାଜ୍ୟର ଅନ୍ୟ ଭାଗରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି।

Share