ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ ସମାପ୍ତ ଟି୨୦ ସିରିଜରେ ସ୍ଥିର ପ୍ରଦର୍ଶନ ଦେଇ ୩୩ ବର୍ଷୀୟ ମଲନ ର଼୍ୟାଙ୍କିଙ୍ଗ୍ରେ ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ମଲନ ପ୍ରଥମଥରପାଇଁ ର଼୍ୟାଙ୍କିଙ୍ଗ୍ରେ ନମ୍ବରଓ୍ବାନ ହୋଇଛନ୍ତି। ଗତବର୍ଷ ନଭେମ୍ବରରେ ସେ ସର୍ବାଧିକ ୨ୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। କୋଭିଡ-୧୯ ସଂକ୍ରମଣ ଯୋଗୁ ୬ ମାସରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରି ନ ଥିବା ଭାରତର ଲୋକେଶ ରାହୁଲ ୨ଟି ସ୍ଥାନ ତଳକୁ ଖସି ୪ର୍ଥରେ ପହଞ୍ଚତ୍ଥିବାବେଳେ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୯ମରେ ପହଞ୍ଚତ୍ଛନ୍ତି। ମଲନଙ୍କ ଟିମ୍ମେଟ୍ ଜନି ବେୟାରଷ୍ଟୋ ୨୨ରୁ କ୍ୟାରିୟର ଶ୍ରେଷ୍ଠ ୧୯ ଏବଂ ଜୋସ୍ ବଟଲର ୪୦ରୁ ୨୮ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ୩ୟ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୬ଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବୋଲର ର଼୍ୟାଙ୍କିଙ୍ଗ୍ରେ ଅଷ୍ଟ୍ରେଲିଆର କେନ୍ ରିଚାର୍ଡଶନ ପ୍ରଥମଥର ପାଇଁ ଟପ୍-୧୦ରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନର ମହମ୍ମଦ ନବି ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି।