Categories: ଖେଳ

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଇଂଲଣ୍ଡ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଡଓ୍ବେିଡ୍‌ ମଲାନ ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ରାସି ଭାନ୍‌ ଡେର ଡୁସେନ ସର୍ବାଧିକ ୭୪ ରନ (୩୨ ବଲ, ୫ ଚୌକା, ୫ ଛକା) ଓ ଫାଫ୍‌ ଡୁପ୍ଲେସି ୫୨ ରନ (୩୭ ବଲ, ୫ ଚୌକା, ୩ ଛକା) ସଂଗ୍ରହ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ କ୍ୱିଣ୍ଟନ ଡି’କକ୍‌ ୧୭, ଟେମ୍ବା ବଭୁମା ୩୨, ରିଜା ହେଣ୍ଡ୍ରିକ୍ସ ୧୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୨, କ୍ରିସ ଜୋର୍ଡାନ ଗୋଟିଏ ଉଇକେଟ ହାସଲ କରିଥିଲେ।
ଜବାବରେ ଇଂଲଣ୍ଡ ୧୭.୪ ଓଭରରେ ଗୋଟିଏ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ମଲାନ ୯୯ (୪୭ ବଲ, ୧୧ ଚୌକା, ୫ ଛକା) ଓ ଜୋଶ ବଟଲର ୪୬ ବଲରୁ ୩ ଚୌକା ଓ ୫ ଛକା ସହ ୬୭ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଜାସନ ରଏ ୧୬ ରନକରି ଏନ୍‌ରିଚ ନୋର୍ଜେଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ଏଥିସହ ଇଂଲଣ୍ଡ ଗତ ୮ଟି ଟି୨୦ ସରିଜ୍‌ରୁ ୭ଟିରେ ବିଜୟ ହାସଲ କରିଛି। ୨୦୧୮ରେ ଇଂଲଣ୍ଡ ଭାରତ ବିପକ୍ଷରେ ଏକମାତ୍ର ସିରିଜରେ ପରାସ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୯୧/୩ (ଡୁସେନ- ୭୪*, ଡୁପ୍ଲେସି- ୫୨*, ବଭୁମା- ୩୨, ଷ୍ଟୋକ୍ସ- ୨/୨୬, ଜୋର୍ଡାନ- ୧/୪୨)।
ଇଂଲଣ୍ଡ ୧୭.୪ ଓଭରରେ ୧୯୨/୧ (ମଲାନ- ୯୯*, ବଟଲର- ୬୭*)।

Share