କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୮ ଅଫିସିଆଲ ଦଳ ସହ ଆସିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ଅଂଶଗ୍ରହଣକାରୀ ଦେଶଗୁଡ଼ିକ ଚୂଡ଼ାନ୍ତ ୧୫ ଖେଳାଳି ଏବଂ କୋଚ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ନାମ ସେପ୍ଟେମ୍ବର ୧୦ ସୁଦ୍ଧା ଦାଖଲ କରିବାକୁ ପଡ଼ିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ କର୍ମକର୍ତ୍ତା ଶୁକ୍ରବାର କହିଛନ୍ତି।
କୋଭିଡ୍-୧୯ ପରିସ୍ଥିତି ଏବଂ ଜୈବ ସୁରକ୍ଷିତ ପରିବେଶକୁ ଦୃଷ୍ଟିରେ ରଖି ଆଇସିସି ଅଂଶଗ୍ରହଣକାରୀ ଦେଶଗୁଡ଼ିକ ସେମାନଙ୍କ ଦଳରେ ଅଧିକ ଖେଳାଳିଙ୍କୁ ସାମିଲ କରି ପାରିବେ। ମାତ୍ର ଅତିରିକ୍ତ ଖେଳାଳିଙ୍କ ଖର୍ଚ୍ଚ ସମ୍ପୃକ୍ତ ବୋର୍ଡ ବହନ କରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ କହିଛନ୍ତି। ଆଇସିସି କେବଳ ୧୫ ଖେଳାଳି ଓ ୮ ଅଫିସିଆଲଙ୍କ ଖର୍ଚ୍ଚ ବହନ କରିବ।