Categories: ଖେଳ

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ଏହି ଘଟଣାକୁ ଖେଳୁଆଡ଼ ମନୋଭାବ ବିରୋଧରେ କିଛି ପୂର୍ବତନ କ୍ରିକେଟର ଦର୍ଶାଇଥିଲା ବେଳେ କିଛି ଖେଳାଳି ଓ୍ବାର୍ନର କୌଣସି ଭୁଲି କରି ନ ଥିବା କହିଛନ୍ତି।

ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ୮ମ ଓଭରରେ ବୋଲିଂ କରୁଥିବା ହାଫଜିଙ୍କ ହାତରୁ ବଲ ଖସି ଯାଇଥିଲା। ଓ୍ବାର୍ନରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବଲ ଦୁଇ ଥର ଡ୍ରପ୍‌ ନେଇଥିଲା। ମାତ୍ର ଓ୍ବାର୍ନର ଲେଗ୍‌ ସାଇଡ୍‌ରେ ବାହାରକୁ ବାହାରି ମିଡ୍‌ ଉଇକେଟ ଅଞ୍ଚଳରେ ଏକ ଛକା ଲଗାଇଥିଲେ। ଦୁଇ ଥର ଡ୍ରପ୍‌ ହୋଇଥିବାରୁ ବଲକୁ ନୋ ବଲ ଦିଆଯାଇଥିଲା। ଏଥିଯୋଗୁ ୧୭୭ ରନ୍‌ର ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ଉକ୍ତ ଓଭରରେ ୧୩ ରନ୍‌ ସଂଗ୍ରହ କରିପାରିଥିଲା।

”ଓ୍ବାର୍ନରଙ୍କ ଖେଳୁଆଡ଼ ମନୋଭାବ ବିରୋଧୀ କାର୍ଯ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ“ ଟୁଇଟ୍‌ କରିବା ସହ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟ୍ୟାଗ କରି ତାଙ୍କ ପ୍ରତିକ୍ରିୟା ମାଗିଥିଲେ ଗମ୍ଭୀର। ଏହି ଟୁଇଟ୍‌ ଜରିଆରେ ପୂର୍ବତନ ଓପନର ଦର୍ଶାଇବାକୁ ଉଦ୍ୟମ କରିଛନ୍ତି ଯେ, ହାଫିଜଙ୍କ ହାତରୁ ଖସି ଯାଇଥିବା ବଲକୁ ଓ୍ବାର୍ନର ଛାଡ଼ିବା ଉଚିତ ଥିଲା। କିନ୍ତୁ ଅଷ୍ଟ୍ରେଲିଆନ ଓପନରଙ୍କ ଶଟ୍‌କୁ ପ୍ରଶଂସା କରିଛନ୍ତି ଅଶ୍ୱିନ। ”ନିଶ୍ଚିତ ଭାବେ ଏହା ଏକ ଚମତ୍କାର ଶଟ୍‌ ଥିଲା“ ବୋଲି ଅଶ୍ୱିନ ଟୁଇଟ୍‌ କରିଛନ୍ତି।

Share