Categories: ଖେଳ

କୋହଲିଙ୍କ ଅଧିନାୟକ କ୍ୟାରିୟର ଉପରେ ବଢ଼ୁଛି ଚାପ

ନୂଆଦିଲ୍ଲୀ,୨।୭: ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେବାର ୪ ବର୍ଷ ପରେ ମଧ୍ୟ କୌଣସି ଆଇସିସି ଟ୍ରଫି ଜିତି ନ ପାରିବାରୁ ବିରାଟ କୋହଲିଙ୍କ ଅଧିନାୟକ କ୍ୟାରିୟରର ଉପରେ ଚାପ ବଢ଼ିବାରେ ଲାଗିଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଉଇକେଟକିପର ତଥା ଚୟନକର୍ତ୍ତା ସବା କରିମ। ନିକଟରେ ନ୍ୟୁଜିଲାଣ୍ଡଠାରୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପରାସ୍ତ ହେବା ପରେ କୋହଲିଙ୍କ ନେତୃତ୍ୱ ନେବାର ଶୈଳୀକୁ ସମାଲୋଚନା କରାଯାଇ ଆସୁଛି।

ଚଳିତ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ କୋହଲିଙ୍କ ଅଧିନାୟକ କ୍ୟାରିୟର ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଆଇସିସି ଟ୍ରଫି ହାତେଇ ନ ପାରିବାରୁ କୋହଲିଙ୍କ ଉପରେ ଚାପ ବଢ଼ୁଛି। ଏ କଥା ସେ ମଧ୍ୟ ଜାଣିଛନ୍ତି। ଏଣୁ ଟି୨୦ ବିଶ୍ୱକପ୍‌ ଜିତିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଯଦି ଭାରତ ବିଶ୍ୱକପ୍‌ ଜିତିବାକୁ ସଫଳ ହୁଏ, ତେବେ କୋହଲି ନିଶ୍ୱାସ ନେବାକୁ ସୁଯୋଗ ପାଇବେ। କେତେ ଦିନ ଆଉ ଅଧିନାୟକତ୍ୱ ତୁଲାଇବାକୁ ଚାହାନ୍ତି, ତାହା ଉପରେ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି। ବଡ଼ ଅଧିନାୟକଙ୍କ ତାଲିକାରେ ତାଙ୍କ ନାମ ଆସୁଛି। କିନ୍ତୁ ତାଙ୍କ ପାଖରେ ଆଇସିସି ଟ୍ରଫି ନାହିଁ ବୋଲି କରିମ କହିଛନ୍ତି।

Share